ବିପଦରେ ସଚିନଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୧।୬- କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଭାବେ ଭାଙ୍ଗି ଚାଲିଛନ୍ତି। ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆରେ ୧୧ ହଜାର ରନ୍‌ ପୂରଣ କରିଥିବା କୋହଲିଙ୍କ ନିକଟରେ ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ଠାରୁ ଏବେ ୧୦୪ ରନ୍‌ ପଛରେ ଅଛନ୍ତି। ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଶତକ ଲଗାଇବାରେ ସଫଳ ହେଲେ ସେ ବିଶ୍ୱର ୧୨ତମ ଓ ଦେଶର ୩ୟ କ୍ରିକେଟର ଭାବେ ଏହି ମାଇଲଷ୍ଟୋନ ସ୍ପର୍ଶ କରିବେ। ସମ୍ମାନଜନକ ତାଲିକାରେ ସଚିନ (୩୪,୩୫୭ ରନ୍‌) ଓ ରାହୁଲ ଡ୍ରାଭିଡ (୨୪,୨୦୮) ରହିଛନ୍ତି। କୋହଲି ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ୧୧୦୨୦, ଟେଷ୍ଟରେ ୬୬୧୩ ଓ ଟି୨୦ରେ ୨୨୬୩ ରନ୍‌ କରିସାରିଛନ୍ତି। ସେ ଦ୍ରୁତତମ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିବା ନିଶ୍ଚିତ। ଏହି ରେକର୍ଡ ଏବେ ସଚିନ ଓ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ ବ୍ରାୟନ ଲାରାଙ୍କ ନାମରେ ରହିଛି। ଉଭୟ ପୂର୍ବତନ କ୍ରିକେଟର ୪୫୩ ଇନିଂସରେ ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୨୨ ଦିନିକିଆ ଓ ୬୨ ଟି୨୦କୁ ମିଶାଇ ମୋଟ ୪୧୯ ଇନିଂସ ଖେଳିଛନ୍ତି। ଦ୍ରୁତତମ ୨୦ ହଜାର ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ (୨୬୮ ଇନିଂସ) ୩ୟ ସ୍ଥାନରେ ରହିଛନ୍ତି। ଚଳିତ ବିଶ୍ୱକପ୍‌ରେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୨ ଓ ପାକିସ୍ତାନ ମ୍ୟାଚ୍‌ରେ ୭୭ ରନ୍‌ କରିଥିଲେ। ଏଭଳି ଫର୍ମରେ ଥିବା କୋହଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ଲଗାଇବାର ବିଶେଷ ସମ୍ଭାବନା ରହିଛି।

Share