ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଅଭିଯୋଗ ସତ୍ତ୍ୱେ ଧ୍ୟାନ ଦେଉନାହାନ୍ତି ଅଧିକାରୀ

କେସିଙ୍ଗା,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲ୍‌ଓ୍ବେ ଗେଟ୍‌ ନିକଟରେ ୧୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟାନ୍ସଫର୍ମର ସ୍ଥାପନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ଦିଗରେ ବିପଦସଙ୍କୁଳ ଅବସ୍ଥାରେ ଦୀର୍ଘବର୍ଷ ଧରି ଏହି ଟ୍ରାନ୍ସଫର୍ମରଟି ରହିଛି। ରେଳଫାଟକଠାରୁ ମାତ୍ର ୨୦ ଫୁଟ ଦୂରରେ ଜାତୀୟ ରାଜପଥକୁ ଲାଗି ଏହି ଟ୍ରାନ୍ସଫର୍ମରଟି ରହିଛି। ଏହାର ଚତୁଃପାର୍ଶ୍ୱରେ ସୁରକ୍ଷା ବାଡ଼ା ନାହିଁ। ଦୈନିକ ଶତାଧିକ ଯାନବାହନ ଏହି ଗେଟ୍‌ ଦେଇ ଚଳାଚଳ କରୁଛନ୍ତି। କେତେବେଳେ ଯେ ଅଘଟଣ ଘଟିବ କହି ହେଉନାହିଁ। ଏନେଇ କେସିଙ୍ଗା ସହରବାସୀ ନୃପରାଜ ଯାଦବ(କାଉନସିଲର) ରଞ୍ଜନ ବେହେରା, ନରସିଂହ ନିଆଲଙ୍କ ସମେତ ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ରମାକାନ୍ତ ରାଉତ ଗୌଡ଼ ପ୍ରମୁଖ ବହୁବାର ଲିଖିତ ଅଭିଯୋଗ ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ମାଟିଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଧିକାରୀ ମାଟି କୁହନ୍ତି, ସେ କୌଣସି ଅଭିଯୋଗ ପାଇନାହାନ୍ତି।