Advertisement

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ ରାସ୍ତା ସଂପ୍ରସାରଣ ବେଳେ ଦୁଇପାର୍ଶ୍ୱରୁ ମାଟି ଓ ଘାଟି କଟାଯାଇ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ଏବେ ଉକ୍ତ ଘାଟିର ଉଭୟ ପାର୍ଶ୍ୱରେ ମୋରମ ମାଟି ସହ ଉପର ଭାଗରେ ବଡ଼ ବଡ଼ ଗଛ ସବୁ ରହିଛି । ତେବେ କେତେଜଣ ଅସାଧୁ ଠିକାଦାର ମୋରମ ପାଇଁ ଏବେ ଉକ୍ତ ଘାଟି ରାସ୍ତାର ଦୁଇ ପାଶର୍‌ବକୁ ଖୋଳି ବେଆଇନ ଭାବେ ଚୋରାଚାଳଣ କରୁଛନ୍ତି। ନିୟମିତ ଏପରି ଚାଲୁଥିବାରୁ ରାସ୍ତା ଦିନକୁ ଦିନ ବିପଦସଙ୍କୁଳ ହେଉଛି। ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ଏହା ଦେଖୁଥିଲେ ମଧ୍ୟ ଚୁପ୍‌ ବସିଛନ୍ତି। ଉକ୍ତ ଅଞ୍ଚଳରେ ଲଗାଣ ବର୍ଷା ହେଲେ ଘାଟିରୁ ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ବଡ ବଡ ଗଛ ଖସିବା ନଜିର ରହିଛି । ଏହି ମୋରମ ମାଟିକୁ ଦିନ ଦ୍ୱିପ୍ରହରରେ ମଧ୍ୟ ଚୋରି କରି ନିଆଯାଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଯୋଗୁ ବେଧଡ଼କ ଚୋରାଚାଲାଣ କରାଯାଉଛି । ଘାଟି ରାସ୍ତାର ସୁରକ୍ଷା ନେଇ ବିଭାଗୀୟ ଯନ୍ତ୍ରୀ ଜୟନ୍ତ କୁମାର ପତିଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଘଟଣାକୁ ସ୍ବୀକାର କରିବା ସହ କହିଛନ୍ତି, ଯେଉଁ ଘାଟି କଡ଼ରୁ ମୋରମ ମାଟି ଚୋରି ହେଉଛି, ତାହା ଜଙ୍ଗଲ ଓ ପରିବେଶ ବିଭାଗର ସଂରକ୍ଷିତ ଜଙ୍ଗଲ । ଗଛ ଏବଂ ମାଟି ଅତଡ଼ା ଖସୁଥିବା ସେ ସ୍ବୀକାର କରିବା ସହ ଉକ୍ତ ରାସ୍ତା କଡ଼ର ମାଟି କଟାଯାଇ ଡାଇଭର୍ସନ ରାସ୍ତା ନିର୍ମାଣ ପାଇଁ ସେ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁମତି ନେବେ। ଅନୁମତି ମିଳିଲା ପରେ ରାସ୍ତା କଡ଼ରେ ଉଚ୍ଚ ହୋଇରହିଥିବା ଦୁଇ ପାର୍ଶ୍ୱକୁ କଟାଯାଇ ସମତଳ କରାଯିବ ବୋଲି କହିଛନ୍ତି। ମୋରମ ଚୋରି ରୋକିବା ଦାୟିତ୍ୱ ବନ ବିଭାଗର ବୋଲି ଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା କହିଛନ୍ତି, ଉକ୍ତ ଘାଟି ରାସ୍ତା ହେଉଛି ପୂର୍ତ୍ତ ବିଭାଗର। ତେଣୁ ଉକ୍ତ ଘାଟିରୁ ମାଟି ନେଉଥିବା ଦୁର୍ବୁତ୍ତଙ୍କ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଘାଟି ରାସ୍ତାର ଦୁଇ ପାର୍ଶ୍ୱ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ସେ କହିଛନ୍ତି। ତେବେ ଦୁଇ ବିଭାଗର ମତାମତରେ ତାଳମେଳ ରହୁ ନ ଥିବା ବେଳେ ଜଣେ ଅନ୍ୟ ଜଣଙ୍କ ଦାୟିତ୍ୱ କହି ଘଟଣାକୁ ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ସେପଟେ ଉକ୍ତ ଘାଟିରେ ୨୦୧୯ ମସିହାରେ ଏକାଧିକ ଦୁର୍ଘଟଣା ଘଟି ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ଦୁଇଟି ବିଭାଗ ଉକ୍ତ ଘାଟିରୁ ମାଟି ଚୋରି ହେଉଥିବା ସମ୍ପର୍କରେ ଅବଗତ ଅଛଛି। ଘାଟିରାସ୍ତାର ବିପଦ ବଢ଼ୁଥିବା ଜାଣି ମଧ୍ୟ ଚୁପ୍‌ ବସିବା ଦୁର୍ଭାଗ୍ୟର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share