ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ହାଟଡିହୀ, ୪।୬(ଡି.ଏନ୍‌.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ମାନ ଖୋଲିଛନ୍ତି। କେତେକ ସ୍ଥାନରେ ଏଥି ନିମନ୍ତେ ସରକାର ଗୃହର ବ୍ୟବସ୍ଥା ଗ୍ରହଣ କରିଥିବାବେଳେ କେଉଁଠି ଗୃହ ଅଭାବରୁ ସ୍କୁଲ ବାରଣ୍ଡା ହେଉ କି ଗଛ ମୂଳେ କେନ୍ଦ୍ର ଚାଲିଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର। ନିକଟସ୍ଥ ବିଦ୍ୟାଳୟରେ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲୁଅଛି। ନିୟମ ଅନୁସାରେ ମାସକରେ ଥରେ ଏଠାରେ ଦିଦିମାନଙ୍କର ମାସିକ ରିପୋର୍ଟ ରିଟର୍ଣ୍ଣ ଓ ବୈଠକ ମଧ୍ୟ ହୋଇଥାଏ। ତେବେ ଘର ଅଭାବରୁ ମାସିକିଆ ବୈଠକ ପାଇଁ କେତେବେଳେ ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଉପରେ ନିର୍ଭର କରିଥାନ୍ତି ତ ଆଉ କେତେବେଳେ ଡାକ୍ତରଖାନା ବାରଣ୍ଡା ଉପରେ ନିର୍ଭର କରିଥାନ୍ତି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ନିର୍ଭର କରୁଥିବା କୁନି କୁନି ପିଲାଙ୍କ ଭବିଷ୍ୟତ କେତେ ସୁରକ୍ଷିତ ତାହା ସହଜରେ ଅନୁମେୟ। ହାଟଡିହୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ ନାବାଳିକା ଅପହରଣ ଓ ବାଲ୍ୟ ବିବାହ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆନନ୍ଦପୁର ଚାଇଲ୍ଡଲାଇନ୍‌ ପକ୍ଷରୁ ଏକ ସଚେତନତା ସଭା କରିବା ନିମନ୍ତେ ସମ୍ପୃକ୍ତ କେନ୍ଦ୍ରକୁ ଯାଇଥିଲେ। ହେଲେ ଏହି କେନ୍ଦ୍ରର ଅବସ୍ଥା ଦେଖି ଶେଷରେ ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପାଖରେ ଥିବା ଏକ ସରକାରୀ କ୍ୱାର୍ଟର ବାରଣ୍ଡାରେ ଏହି ସଭା କରିବାକୁ ବାଧ୍ୟ ହୋଇଥିଲେ। ତୁରନ୍ତ ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।