Categories: ନୟାଗଡ଼

ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ: ଭରା ନଦୀରେ ଧୋଉଛନ୍ତି ବାସନ

ନୟାଗଡ଼ ଅଫିସ,୯।୭-ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ । ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ ଭରା ନଦୀକୁ ବାସନ ଧୋଇବାକୁ ଯାଉଛନ୍ତି ସେମାନେ। ଦିନ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକେରା ଆବାସିକ ଉଚ୍ଚ ବିଦ୍ୟାଳୟରେ। କୋମଳମତି ଛାତ୍ରୀଛାତ୍ରମାନେ ସ୍କୁଲଠାରୁ ୫ଶହ ମିଟର ଦୂର ବୃତ୍ତଙ୍ଗ ନଦୀକୁ ନିଜର ଅଇଁଠା ବାସନ ନେଇ ଧୋଇବାକୁ ଯାଉଛନ୍ତି।
ପ୍ରକାଶ ଯେ, ଦଶପଲ୍ଲା ଟାକେରା ଆବାସିକ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରୀଛାତ୍ର ପଢନ୍ତି। ବିଦ୍ୟାଳୟରେ ୩ଟି ନଳକୂପ ଅଛି। ସେଥି ମଧ୍ୟରୁ ଦୁଇଟି ଆଂଶିକ ଅଚଳ ହୋଇପଡିଥିବାବେଳେ ଗୋଟିଏ କାର୍ଯ୍ୟକ୍ଷମ ହେଉଛି। ଗୋଟିଏ ନଳକୂପରୁ ଛାତ୍ରୀଛାତ୍ରମାନେ ପାଣି ପିଇବା ସହ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥାଏ। ଅବଶିଷ୍ଟ ଦୁଇଟି ନଳକୂପରେ ୧୫ ମିନିଟ ହ୍ୟାଣ୍ଡେଲ ମାରିଲା ପରେ ବହୁ କଷ୍ଟରେ ପାଣି ବାଲଟିଏ ବାହାରିଥାଏ। ଫଳରେ ଦୂରରେ ବହିଯାଉଥିବା ବୃତ୍ତଙ୍ଗ ନଦୀ ଏହାର ବିକଳ୍ପ ପାଲଟିଥାଏ। ବର୍ଷା ଯୋଗୁ ଏବେ ନଦୀରେ ଜଳ ଭରି ରହିଛି । ଛାତ୍ରୀଛାତ୍ରମାନେ କେବଳ ନଦୀରେ ବାସନ ଧୋଉଛନ୍ତି ତାହା ନୁହେଁ ସେଠାରେ ଗାଧୋଉଥିବା ମଧ୍ୟ ଜଣାଯାଇଛି। ଫଳରେ ପ୍ରତିଦିନ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଥିବା ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନନ କିଶୋର ଭୋଇଙ୍କୁ ପଚାରିବାରୁ ସେ କୁହନ୍ତି ବିଦ୍ୟାଳୟରେ ପାଣିର ଅଭାବ ଥିବାରୁ ପିଲାମାନଙ୍କୁ ବାସନ ଧୋଇବା ପାଇଁ ନଦୀକୁ ପଠାଯାଉଛି। ପିଲାମାନେ ଗଲାବେଳେ ସେମାନଙ୍କୁ ସେଠାରେ ଜଗିବା ପାଇଁ ୨ ଜଣ ରୋଷେୟା ଯାଉଛନ୍ତି। ପାଣିର ଅଭାବ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ସୋମବାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର କିଛି କର୍ମଚାରୀ ଆସି ବିଦ୍ୟାଳୟରେ ପାଣି ପରୀକ୍ଷା କରିବା ସହ ସ୍ଥିତି ଦେଖି ଯାଇଥିବା ପ୍ରଧାନ ଶିକ୍ଷକ ଭୋଇ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।