Categories: ରାୟଗଡା

ବିପଦ ଆଶଙ୍କା: ଟ୍ରେନ ଯାଉଛି, ଲେଭଲ କ୍ରସିଂ ଗେଟ ପଡୁନି

କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ। ଦ୍ରୁତଗାମୀ ରାଜ୍ୟରାଣୀ ଏକ୍ସପ୍ରେସ ସହ ପୁରୀ-ଗୁଣୁପୁର, ବିଶାଖାପାଟଣା- ଗୁଣୁପୁର ପାସେଞ୍ଜର ଏହି ଲେଭଲ କ୍ରସିଂ ଦେଇ ଯାଏ । କାଶୀନଗର ସହରର ପଟେଲରୋଡ ମୁଖ୍ୟରାସ୍ତା ହୋଇଥିବାରୁ ଏହି ରୋଡ ଦେଇ ବହୁ ଲୋକ ଯିବାଆସିବା କରନ୍ତି । ଗାଡି ମୋଟର ବି ବହୁ ସଂଖ୍ୟାରେ ଯାତାୟତ କରିଥାଏ । ଅଥଚ ଦିନରାତି କେବେ ବି ଗେଟ ପଡେ ନାହିଁ । ଫଳରେ ସବୁବେଳେ ବିପଦର ଆଶଙ୍କା ଲାଗିରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶୀନଗର ନାରୋଗେଜ ଥିବାବେଳେ ବି ଗେଟ ନ ପଡିବା ଯୋଗୁ ଏକାଧିକବାର ଦୁର୍ଘଟଣା ଘଟିଥିଲା। ବ୍ରହ୍ମପୁରରୁ ଗୁଣୁପୁର ଆସୁଥିବା ଏକ ପ୍ରାଇଭେଟ ବସ ଟ୍ରେନ ସହ ଧକ୍କା ଖାଇବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏବେ ବ୍ରଡଗେଡ ଲାଇନ ହେବା ପରେ ବି କେହି ଗେଟମ୍ୟାନ ନ ରହିବା ଓ ଟ୍ରେନ ଆସିବା ସମୟରେ ଗେଟ ନ ପଡିବା ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଏକ ପ୍ରାଇଭେଟ କମ୍ପାନୀ ଜରିଆରେ ମାର୍ଚ୍ଚ ପୂର୍ବରୁ କେତେକ ଗେଟ ମିତ୍ରମାନେ ନିଯୁକ୍ତ ପାଇ ଲେଭଲ କ୍ରସିଂ ଗେଟ ପକାଉଥିଲେ। ବର୍ତ୍ତମାନ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ଯୋଗୁ ଆଉ କେହି ଗେଟ ପକାଇବାକୁ ରହୁନାହାନ୍ତି । ରେଳ ବିଭାଗ ଲୋକଙ୍କ ଜୀବନ ସହ ନ ଖେଳି ଖୁବଶୀଘ୍ର ଗେଟମ୍ୟାନ ନିଯୁକ୍ତି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।