ତତ୍ତ୍ୱ ଓ ତର୍କ
ବିମଳ ପାଣ୍ଡିଆ
‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’ ମୁକାବିଲା କରିଥିବାରୁ ନ୍ୟାଶ୍ନାଲ ଜିଓଗ୍ରାଫିକ ଚ୍ୟାନେଲ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ତାହା ଉପରେ ବୃତ୍ତଚିତ୍ର ପ୍ରସ୍ତୁତ କରିଛି। ଏହି ଦୁଇ ବାତ୍ୟା ମଝିରେ ‘ତିତ୍ଲି’ ବାତ୍ୟା ପରର ପ୍ରଥମ କିଛିଦିନ, ଯେତେ ଦିନ ପର୍ଯ୍ୟନ୍ତ ଭୟଙ୍କର ଭୂସ୍ଖଳନ ଓ ମୃତ୍ୟୁର ଖବର ଆସି ନ ଥିଲା, ସେତେବେଳ ଯାଏ ମଧ୍ୟ ଓଡିଶା ସରକାର କିଛି ସାବାସି ଗୋଟାଇ ସାରିଥିଲେ। ଏହି ସମସ୍ତ ବାତ୍ୟାର କ୍ଷତିକୁ ୧୯୯୯ ମସିହାର ମହାବାତ୍ୟାରେ ହୋଇଥିବା ବ୍ୟାପକ ଜୀବନହାନି ସହିତ ତୁଳନା କରାଯାଇ ସରକାର ବାତ୍ୟାର ସଫଳ ମୁକାବିଲା କରିଛନ୍ତି ବୋଲି କୁହାଯାଇଥିଲା। ୧୯୯୯ ମସିହା ଓ ଆଜି ମଧ୍ୟରେ ଅନେକ ଉନ୍ନତି ଅବଶ୍ୟ ହୋଇଛି। ରାସ୍ତାଘାଟ ପ୍ରଶସ୍ତ ଓ ଉଚ୍ଚ ହୋଇଛି, ଲୋକଙ୍କ ରହିବା ଘର ଅଧିକ ସୁଦୃଢ ହୋଇଛି। ଲୋକେ ବାତ୍ୟାର ବିପଦ ଉପରେ ଅଧିକ ଖବର ରଖୁଛନ୍ତି। ଗଣମାଧ୍ୟମ ଏହାକୁ ବଡ ଖବର କରୁଛନ୍ତି ଓ ସାମାଜିକ ଗଣମାଧ୍ୟମ ଏକ ବଡ ଭୂମିକା ତୁଲାଉଛି। ପାଣିପାଗ ବିଭାଗ ଅଧିକ ସକ୍ଷମ ହୋଇଛି। ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଭଳି ସଂସ୍ଥା ପ୍ରଭାବଶାଳୀ ଭୂମିକାର ଉଦାହରଣ ଦେଇଛନ୍ତି। ଏନ.ଡି.ଆର୍.ଏଫ. ଓ ଓଡ୍ରାଫ ଭଳି ସଂସ୍ଥା ତିଆରି ହୋଇଛନ୍ତି ଓ ପ୍ରଶଂସନୀୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ବାତ୍ୟାର ସୂଚନା ମିଳିଲେ ସରକାର ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ହଟାଇବାର ପ୍ରଶଂସନୀୟ ଉଦ୍ୟମ ଅବଶ୍ୟ କରିଛନ୍ତି। ଲୋକେ ନିଜେ ମଧ୍ୟ ବାତ୍ୟା ପ୍ରତି ସଜାଗ ରହି ନିଜକୁ ସୁରକ୍ଷିତ ରଖିବାରେ ଅନେକ ପରିଶ୍ରମ କରିଛନ୍ତି। ତେଣୁ, ବିପଦର ପୂର୍ବାନୁମାନ, ଅନେକ ଭିତ୍ତିଭୂମି, ତଥା ଲୋକଙ୍କୁ ବିପଦମୁକ୍ତ ରଖିବା ପାଇଁ ସରକାରୀ ଓ ନିଜସ୍ବ ପ୍ରଚେଷ୍ଟା ୧୯୯୯ ମସିହା ତୁଳନାରେ କାହିଁରେ କେତେ ବୃଦ୍ଧି ପାଇଛି।
୧୯୯୯ ମସିହାର ବାତ୍ୟା ତୁଳନାରେ ପରବର୍ତ୍ତୀ ସମୟର ବାତ୍ୟାକୁ ଖୁବ୍ ସଫଳ ଭାବରେ ମୁକାବିଲା କରାଯାଇଥିବାରୁ ଜୀବନହାନି ଓ କ୍ଷୟକ୍ଷତି ଯଥେଷ୍ଟ ହ୍ରାସ ପାଇଛି ଏବଂ ଆମେ ‘ଜିରୋ କାଜୁଆଲ୍ଟି’କୁ ହାସଲ କରିବାର ପ୍ରାୟ ନିକଟବର୍ତ୍ତୀ ହୋଇସାରିଲୁଣି ବୋଲି କୁହାଯାଉଛି। ଏଥିରେ ଅବଶ୍ୟ କିଛି ସତ୍ୟତା ଅଛି, କିନ୍ତୁ ଏହା ଆଦୌ ପୂରା ସତ ନୁହେଁ। ଏହି ତିନିଟି ଯାକ ବାତ୍ୟା ୧୯୯୯ ମହାବାତ୍ୟାର ବିକଟାଳ ସ୍ବରୂପ ତୁଳନାରେ ଖୁବ୍ ସାନ ଥିଲା। କେବଳ ପବନର ବେଗ ନୁହେଁ, ପ୍ରବଳ ବର୍ଷା ଓ ସାମୁଦ୍ରିକ ଢେଉର ଉଗ୍ରତା ୧୯୯୯ର ମହାବାତ୍ୟାରେ ଅନେକ ବୀଭତ୍ସ ଥିଲା। ଫାଇଲିନ ବାତ୍ୟା ଅବଶ୍ୟ ରାତି ୯ଟାରେ ଉପକୂଳ ମାଡ଼ିଥିଲା। କିନ୍ତୁ ତିତିଲି ଓ ଫନୀ ବାତ୍ୟା ସକାଳ ସମୟରେ ଉପକୂଳ ଛୁଇଁଥିଲେ। ଅନ୍ୟ ଭାବରେ କହିଲେ ଲୋକେ ଚେଇଁଥିଲେ। ଫନୀ ବାତ୍ୟା ଗ୍ରୀଷ୍ମ ଋତୁର ପ୍ରାବଲ୍ୟ ସମୟରେ ଆସିଥିଲା। ସବୁ ଅଞ୍ଚଳ ଶୁଷ୍କ ଥିଲା। ବର୍ଷା ବି ପ୍ରାୟ ହୋଇ ନ ଥିଲା କହିଲେ ଚଳେ। ତଥାପି ସମସ୍ତ ବାତ୍ୟାରେ ଜୀବନ ଯାଇଛି, ଭିତ୍ତିଭୂମି ଓ ରୋଜଗାର ବିପର୍ଯ୍ୟସ୍ତ ହୋଇଛି ଓ ଭୟଙ୍କର ମାନବିକ ଦୁଃସ୍ଥତା ଦେଖିବାକୁ ମିଳିଛି। ଏହି ନିରାଟ ସତ୍ୟକୁ ଆମକୁ ଉପଲବ୍ଧି କରିବାକୁ ହେବ ଯେ ଏହା ମଧ୍ୟରୁ କୌଣସି ବି ବାତ୍ୟା ୧୯୯୯ ମହାବାତ୍ୟାର ବିକଟତାର ନିକଟ ନ ଥିଲେ। ଫନୀରେ ମହାବାତ୍ୟା ଭଳି ବର୍ଷା ହୋଇଥିଲେ ସ୍ଥିତି କ’ଣ ହୋଇଥାନ୍ତା ତାହା ପ୍ରାୟ ସମସ୍ତେ ଅନୁମାନ କରିପାରୁଛନ୍ତି। ଏଠାରେ ମୁଁ କେବଳ କିଛି ବାତ୍ୟାର ଉଦାହରଣ ଦେଇଛି, କିନ୍ତୁ ଓଡିଶା ଅନେକ ପ୍ରକାର ପ୍ରାକୃତିକ ବିପଦର କ୍ରୀଡ଼ାସ୍ଥଳୀ। ବନ୍ୟା, ମରୁଡି, ସୁନାମି, ଗ୍ରୀଷ୍ମ ଝାଞ୍ଜି, ଭୂସ୍ଖଳନ, ବଜ୍ରପାତ, ଅଗ୍ନିକାଣ୍ଡ ଏବଂ ଏପରିକି ଭୂମିକମ୍ପର ବିପଦ ଖୁବ୍ ଅଧିକ ରହିଛି। ଏହି ସବୁ ପ୍ରାକୃତିକ ବିପଦ ସହ ଓଡିଶାରେ ଔଦ୍ୟୋଗିକ, ରାସାୟନିକ ଓ ସହରୀ ବିପଦର ପ୍ରାବଲ୍ୟ ଅନେକ ବଢିଛି ଓ ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି। ଜଳବାୟୁରେ ପରିବର୍ତ୍ତନ ବିପଦର ସ୍ବରୂପ ଓ ପ୍ରାବଲ୍ୟକୁ ଆହୁରି ତେଜାଉଛି। ତେଣୁ ବିପଦ ଓ ବିପଦକୁ ପ୍ରତିହତ କରିବାରେ ଆମର କ୍ଷମତା ଓ ସଚେତନତାକୁ ଏକ ଭିନ୍ନ ସ୍ତରକୁ ନେବା ପାଇଁ ଏହା ଯଥେଷ୍ଟ ଖୋରାକ ଯୋଗାଏ। ଓଡିଶା ଓ ଭାରତ ପ୍ରାକୃତିକ ବିପର୍ଯ୍ୟୟକୁ ପରିଚାଳନା କରିବାରେ ଅବଶ୍ୟ ଅନେକ ପ୍ରଗତି କରିଛନ୍ତି କିନ୍ତୁ ‘ବିପଦ’କୁ ବିପର୍ଯ୍ୟୟ ସୃଷ୍ଟି କରିବାରୁ ରୋକିବାରେ ଅନେକ କିଛି କରିବାର ଅଛି। ବିପଦ ତ ନିଶ୍ଚୟ ରହିବ କିନ୍ତୁ ବିପଦକୁ ବିପର୍ଯ୍ୟୟ ସୃଷ୍ଟି କରିବା ପାଇଁ ନ ଦେବା ହିଁ ବର୍ତ୍ତମାନର ପ୍ରମୁଖ ଆବଶ୍ୟକତା।
ଭୟଙ୍କର ମହାବାତ୍ୟା, ପ୍ରଳୟଙ୍କରୀ ସୁନାମି ଏବଂ ଅନେକ ବିଧ୍ୱଂସୀ ଭୂମିକମ୍ପ ଓ ବନ୍ୟାର ଶିକାର ହେବା ପରେ ଭାରତ ସରକାର ‘ବିପର୍ଯ୍ୟୟ ପରିଚାଳନା ଅଧିନିୟମ- ୨୦୦୫’ ଆଣିଥିଲେ। ତେବେ ତାହା ମୁଖ୍ୟତଃ ‘ପରିଚାଳନା’ କୈନ୍ଦ୍ରିକ ହୋଇ ରହିଛି। ୨୦୧୫ ମସିହାରେ ଜାପାନର ସ୍ବେଣ୍ଡାଇଠାରେ ପୃଥିବୀର ସମସ୍ତ ଦେଶ ପ୍ରତିବଦ୍ଧ ହୋଇଥିଲେ ଯେ ଆମକୁ ‘ପରିଚାଳନା’ରୁ ଆଗକୁ ଯାଇ ‘ବିପର୍ଯ୍ୟୟ’ର ‘ବିପଦ’କୁ ହିଁ ହ୍ରାସ କରିବାର ଆବଶ୍ୟକତା ଅଛି। କେବଳ ଜୀବନହାନିକୁ ନୁହେଁ ଆମକୁ ସମ୍ପତ୍ତିବାଡ଼ି, ଘରଦ୍ୱାର ଓ ଭିତ୍ତିଭୁମିକୁ ମଧ୍ୟ ସୁରକ୍ଷିତ କରିବାର ସମୟ ଆସିଛି। ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅତି ଜଟିଳ ବା ଅତ୍ୟନ୍ତ ଖର୍ଚ୍ଚବହୁଳ ନୁହେଁ। ଭାରତ ଓ ଓଡିଶା ସରକାର ମଧ୍ୟ ଏହି ପ୍ରତିବଦ୍ଧତା ଘୋଷଣା କରିଛନ୍ତି। ସରକାର ନିଜର ପ୍ରତିବଦ୍ଧତା ଦେଖାଇଥିଲେ ମଧ୍ୟ ବାସ୍ତବ କାର୍ଯ୍ୟରେ ତାହାର କ୍ୱଚିତ୍ ପ୍ରତିଫଳନ ହୋଇଛି। ସରକାରଙ୍କ ଭିନ୍ନ ଯୋଜନା ଓ ପ୍ରକଳ୍ପରେ ‘ବିପଦ’ର ଅନୁମାନ କରି ବିପଦକୁ ହ୍ରାସ କରିବାର ପଦକ୍ଷେପ ଯୋଡିବାର ନିତାନ୍ତ ଆବଶ୍ୟକତା ରହିଛି। ଉଦାହରଣ ସ୍ବରୂପ, ଗୋଟିଏ ରାସ୍ତା ହୁଏତ ପ୍ରଶସ୍ତ ଓ ଚିକ୍କଣିଆ ହୋଇପାରେ କିନ୍ତୁ ସେହି ରାସ୍ତା ଯଦି ବିପଦର ପୂର୍ବ ଅନୁମାନ ନ କରି ବିପଦକୁ ହ୍ରାସ କରିବାର ପନ୍ଥା ସଂଲଗ୍ନ କରି ନ ଥିବ ତେବେ ତାହା ବିପଦ ହ୍ରାସ କରିବା ତ ଦୂରର କଥା, ବିପଦକୁ ଆହୁରି ବଢାଇବାର ବାଟ ସୁଗମ କରିଦେବ। ଚେନ୍ନାଇ-କୋଲକାତା ରାଷ୍ଟ୍ରୀୟ ରାଜପଥର ‘ଉନ୍ନତୀକରଣ’ ହିଁ ୨୦୧୪ ମସିହାରେ ବାଲେଶ୍ୱରରେ ବନ୍ୟା ପରିସ୍ଥିତିକୁ ଅତି ଭୟଙ୍କର କରିଦେଇଥିଲା। ‘ବିପଦ’କୁ ଅନୁମାନ ନ କରି ସହରମାନଙ୍କରେ ଭିତ୍ତିଭୂମି ଓ କୋଠାବାଡ଼ିର ବିସ୍ତାର ହିଁ ସହରୀ ବିପର୍ଯ୍ୟୟର କାରଣ ହେଉଛି। ଫନୀ ସମୟରେ ହଜାରହଜାର ଲୋକ କୌଣସି ପଡୋଶୀଙ୍କ ଛୋଟ ଅଥଚ ଅଧିକ ସୁରକ୍ଷିତ ଲାଗୁଥିବା ଘରେ ଆଶ୍ରୟ ନେଇଥିଲେ। ସବୁ ଘର ଅଳ୍ପ କିଛି ଉଦ୍ୟମରେ ଅନେକ ସୁରକ୍ଷିତ ହୋଇପାରିବ। ସାମାନ୍ୟ ବାତ୍ୟାରେ ଅନେକ ବିଦ୍ୟାଳୟ କୋଠା କ୍ଷତିଗ୍ରସ୍ତ ହେଉଛି। କାରଣ ସେଗୁଡ଼ିକରେ ବିପଦର ନୂ୍ୟନତମ ବିଚାର ସଂଲଗ୍ନ କରାଯାଇନାହିଁ। ଅନେକ ଫସଲ ଓ ବେପାର ଉଜୁଡି ଯାଉଛି କାରଣ ‘ବିପଦ’କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ଯୋଡ଼ା ଯାଉନାହିଁ। ଫନୀ ବାତ୍ୟା ପରେ ଅନେକ ଅଞ୍ଚଳରେ ମାସମାସ ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଲା ଏବଂ ରାଜ୍ୟ ରାଜଧାନୀର ବି ଅନେକ ଅଞ୍ଚଳରେ ସପ୍ତାହ ସପ୍ତାହ ଧରି ଲୋକେ ପାଣି ପାଇଁ ଡହକବିକଳ ହେଲେ। ‘ବିପଦ’କୁ ଆଗୁଆ ଆକଳନ କରି ଭିତ୍ତିଭୂମି ଓ ବ୍ୟବସ୍ଥା ହୋଇଥିଲେ ଅବସ୍ଥା ଏମିତି ଆଦୌ ହୋଇ ନ ଥାନ୍ତା।
ସୁଖର କଥା ଯେ ରାଜ୍ୟସରକାର ‘ବିପଦ’କୁ ଚିହ୍ନଟ କରି ତାହାର ମୁକାବିଲା କରିବା ଓ ତାକୁ ହ୍ରାସ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି। ବିପଦକୁ ଜାଣିବା ପରେ କାମରେ ତାହାର ପ୍ରତିଫଳନ ହେଲେ, ବିପର୍ଯ୍ୟୟ ଅନେକ ହ୍ରାସ ହେବା ନିଶ୍ଚିତ। ଓଡିଶା ସରକାର ଏବେ ଏକ ‘ବିପର୍ଯ୍ୟୟ ବିପଦ ହ୍ରାସ ରୋଡମ୍ୟାପ’ ପ୍ରସ୍ତୁତ କରୁଛନ୍ତି ଯାହା ସେହି ପ୍ରକ୍ରିୟାକୁ ବାଟ କଢାଇବାର ଅନେକ ସମ୍ଭାବନା ରଖେ।