ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ
ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି …
ଜୀବଜଗତ ବଞ୍ଚତ୍ରହିବା ପାଇଁ ଅନୁକୂଳ ଏହି ଜଳଗ୍ରହ ପୃଥିବୀର ଉପରପୃଷ୍ଠ ଚାରିଭାଗରୁ ତିନିଭାଗ କେବଳ ଜଳ ଦ୍ୱାରା ଆବୃତ । ସମୁଦାୟ ଜଳକୁ ଯଦି ଶହେ ବାଲ୍ଟି ବୋଲି ଭାବିବା, ତା’ହେଲେ ସତାନବେ ବାଲ୍ଟି ଜଳ ଲୁଣିଆ ଓ ତିନି ବାଲ୍ଟି ମଧୁରଜଳ । ଏହି ତିନି ବାଲ୍ଟି ଜଳରୁ ମାତ୍ର ଏକ ଚାମଚରୁ କମ୍ ଜଳ ଚାଷୋପଯୋଗୀ, ଶିଳ୍ପୋପଯୋଗୀ ଓ ଘରୋଇ ବ୍ୟବହାରଯୋଗ୍ୟ । ଆକଳନ କରାଯାଇଛି ଯେ ପୃଥିବୀ ପୃଷ୍ଠର ସମୁଦାୟ ଜୀବଜଗତରୁ ୫୦ରୁ ୮୦ ପ୍ରତିଶତ ଜୀବ ସମୁଦ୍ରରେ ବାସ କରନ୍ତି । ଏଥିରୁ ସହଜରେ ଅନୁମେୟ, ସମୁଦ୍ର ହେଉଛି ଜୀବମାନଙ୍କର ଉତ୍ତମ ଆଶ୍ରୟସ୍ଥଳୀ ।
ପୃ୍ଥିବୀ ପୃଷ୍ଠକୁ ସମୁଦ୍ର ଏତେ ମାତ୍ରାରେ ଆବଦ୍ଧ କରିଥିଲେ ବି ମଣିଷ ଏହି ବିଶାଳ ସମୁଦ୍ରର ୧୦ ପ୍ରତିଶତରୁ କମ୍ ସ୍ଥାନ ଆବିଷ୍କାର କରିଛି । ସମୁଦାୟ ସମୁଦ୍ରକୁ ଜାଣିବା ପାଇଁ ଆହୁରି ସମୟ ଦରକାର । ସମୁଦ୍ରର ୯୦ପ୍ରତିଶତ ଆୟତନକୁ ଗଭୀର ସମୁଦ୍ର କହନ୍ତି । ସମୁଦ୍ରର ହାରାହାରି ଗଭୀରତା ୩,୭୯୫ ମିଟର । ସ୍ଥଳଭାଗର ହାରାହାରି ଉଚ୍ଚତା ୮୪୦ ମିଟର । ମହାସାଗର ପୃଥିବୀ ପୃଷ୍ଠର ୭୨ ପ୍ରତିଶତ ଅଞ୍ଚଳକୁ ଆଚ୍ଛାଦିତ କରିଛି । ପ୍ରଶାନ୍ତ ମହାସାଗର ପୃଥିବୀ ପୃଷ୍ଠର ତିନିଭାଗରୁ ଏକଭାଗ ଅଞ୍ଚଳକୁ ଆଚ୍ଛାଦିତ କରିଛି, ଯାହାକି ଅନୁମାନ କରାଯାଏ ୧୭୯୭ ଲକ୍ଷ ବର୍ଗ କିଲୋମିଟର । ଏଥିରେ ପାଖାପାଖି ୨୫ ହଜାର ଆଇଲାଣ୍ଡ ଅଛି । ଅନୁମାନ କରାଯାଇଛି ଯେ ସମୁଦ୍ରରେ ୩ ଶହରୁ ସାଢେ ତିନିଶହ କୋଟି ବର୍ଷ ପୂର୍ବେ ଜୀବ ସୃଷ୍ଟି ହୋଇଥିଲା । ଅର୍ଥାତ୍ ମୋଟାମୋଟି ଭାବେ କହିଲେ, ସମୁଦ୍ର ହେଉଛି ଜୀବମାନଙ୍କର ଆଦିମ ବାସସ୍ଥଳୀ ା କିନ୍ତୁ ଉଷ୍ଣସ୍ରୋତ, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପ୍ରଦୂଷଣ, ଆଗ୍ନେୟ ଉଦ୍ଗିରଣ ଇତ୍ୟାଦି ବିଭିନ୍ନ ବିପର୍ଯ୍ୟୟ ଯୋଗୁ ସାମୁଦ୍ରିକ ଜୀବମାନଙ୍କର ସ୍ଥିତି ଏବେ ପ୍ରଶ୍ନବାଚୀ । ଏହା ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର ବିଷୟ ଏବଂ ନୂତନ ଗବେଷଣା ପାଇଁ ଆହ୍ବାନ । ମଣିଷ ଜୈବ ଇନ୍ଧନ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍କୁ ବିଭିନ୍ନ କ୍ଷେତ୍ରରେ ଇନ୍ଧନ ରୂପେ ବ୍ୟବହାର କରି ଶକ୍ତି ପାଏ। ଏହି ପ୍ରକ୍ରିୟାରେ ଆମର ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ସବୁଜ କୋଠରି ଗ୍ୟାସ୍ ନିର୍ଗତ ହୁଏ । ସବୁଜ କୋଠରି ଗ୍ୟାସ୍ ତାପ ଅବଶୋଷଣକରି ବାୟୁମଣ୍ଡଳକୁ ଉତ୍ତପ୍ତକରେ । ପୁଣି ବୈଜ୍ଞାନିକମାନେ ଆକଳନ କରିଛନ୍ତିି ଯେ, ଏହି ସବୁଜ କୋଠରି ଗ୍ୟାସ୍ ଦ୍ୱାରା ବିକିରଣ ହେଉଥିବା ତାପଶକ୍ତିର ୯୦ପ୍ରତିଶତ ତାପ ସମୁଦ୍ର ଅବଶୋଷଣକରେ ା ସମୁଦ୍ରର ଉପର ୧୦ ଫୁଟ୍ ଜଳସ୍ତର ଯେତିକି ତାପ ଧରି ରଖେ, ତାହା ଆମ ବାୟୁମଣ୍ଡଳ ଧରିରଖିଥିବା ତାପର ପରିମାଣ ସହ ସମାନ ା ଏଥିପାଇଁ ମେରୁ ଅଞ୍ଚଳର ଥିବା ବରଫ ତରଳି ସମୁଦ୍ରରେ ମିଶୁଛି । ସମୁଦ୍ର ପତ୍ତନ ହାରାହାରି ଶହେ ବର୍ଷକୁ ୧୦ ସେ.ମି. ରୁ ୨୫ ସେ.ମି. ବଢୁଛି ା ଦଶହଜାର ବର୍ଷ ପୂର୍ବରୁ ଯେତିକି ସମୁଦ୍ର ପତ୍ତନ ଥିଲା, ଏବେ ତାହା ୧୧୦ ସେ.ମି. ବଢ଼ିଯାଇଛି । ଯଦି ସବୁ ବରଫ ତରଳିଯିବ, ତା’ହେଲେ ଆହୁରି ୧୦୦ ସେ.ମି. ଅଧିକ ବଢ଼ିଯିବ । ଫଳରେ ସମୁଦ୍ରର ଅନେକ ଉପକୂଳବର୍ତ୍ତୀ ସ୍ଥାନ ଜଳମଗ୍ନ ହୋଇଯିବ ।
ସମୁଦ୍ରରେ ତାପମାତ୍ରା ବୃଦ୍ଧି ଯୋଗୁ ଉଷ୍ଣ ସାମୁଦ୍ରିକ ସ୍ରୋତ ବାରମ୍ବାର ବଢୁଛି ଏବଂ ସମୟ ବ୍ୟବଧାନ ମଧ୍ୟ କମୁଛି । ଗବେଷକଙ୍କ ମତରେ ୧୯୨୫ରୁ ୨୦୧୬ ମଧ୍ୟରେ ସାମୁଦ୍ରିକ ଉଷ୍ଣ ସ୍ରୋତ ପ୍ରତିବର୍ଷ ହାରାହାରି ୩୪ପ୍ରତିଶତ ଅଧିକ ଥର, ୧୭ପ୍ରତିଶତ ଅଧିକ ଲମ୍ବ ଏବଂ ୫୪ପ୍ରତିଶତ ଅଧିକ ଦିନ ହେଉଛି । ମୋଟାମୋଟି ଭାବେ ତାପମାତ୍ରା ବୃଦ୍ଧି ଯୋଗୁ ସୃଷ୍ଟ ଉଷ୍ଣ ସାମୁଦ୍ରିକ ସ୍ରୋତ ଅଧିକ ପ୍ରବାହିତ ହେଉଛି। ତେଣୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ। ଜଳବାୟୁ ପ୍ରଦୂଷଣ ଯୋଗୁ ସମୁଦ୍ର ଏବେ ପ୍ରଦୂଷିତ । ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ । ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି ।
ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି।
ପୃଥିବୀର ଏକତୃତୀୟାଂଶ ଜୀବାଶ୍ମ ଇନ୍ଧନ ସମୁଦ୍ର ଶଯ୍ୟାରୁ ହିଁ ମିଳେ । ଏହାକୁ ଉତ୍ତୋଳନ କରିବା ବେଳେ ସମୁଦ୍ରର ଜଳ ପ୍ରଦୂଷିତ ହୁଏ ା ଏହା ବି ସାମୁଦ୍ରିକ ଜୀବଙ୍କୁ ମୃତ୍ୟୁମୁଖକୁ ଠେଲିଦିଏ । ପୁଣି ୯୦ପ୍ରତିଶତ ଆଗ୍ନେୟ ଉଦ୍ଗିରଣ ସମୁଦ୍ର ବକ୍ଷରେ ହୁଏ। ଏଥିଯୋଗୁ ସମୁଦ୍ରର ତାପମାତ୍ରା ଅଧିକ ବୃଦ୍ଧି ହୁଏ ା ତେଣୁ ଅଧିକ ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି । ଖାଲି ଯେ ସାମୁଦ୍ରିକ ଜୀବ ବିଲୁପ୍ତପ୍ରାୟ, ତାହା ନୁହେଁ, ସ୍ଥଳଭାଗରେ ବି ମହାବାତ୍ୟା, ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ନିକଟରେ ବାରମ୍ବାର ମହାବାତ୍ୟା ଦେଖାଯାଉଛି ା ସ୍ଥଳଭାଗରେ କେତେକ ଜୀବ ଆଜି ପରିସ୍ଥାନ ହରାଇ ବିଲୁପ୍ତ, ଲୁପ୍ତ ପ୍ରାୟ ଓ ଅସୁରକ୍ଷିତ ପରିସ୍ଥିତିରେ ।
ଭାରତରେ ଚିତାବାଘ, ଟାସ୍ମାନିଆ ଉଲ୍ଫ, ପାହାଡ଼ି ଛେଳି, ଡୋଡୋ ପକ୍ଷୀ, ବୃହତ୍କାୟ ପାଣ୍ଡା, ଦୁଇଶିଙ୍ଗ ବିଶିଷ୍ଟ ଗଣ୍ଡା, ପାତାଳ ଗରୁଡ଼ ଗଛ, କମଣ୍ଡଳୁ ଗଛ, ଏକଶିଙ୍ଗ ବିଶିଷ୍ଟ ଗଣ୍ଡା, ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ, ଅନେକ ପ୍ରକାର ଔଷଧୀୟ ଗୁଳ୍ମ, ସରୀସୃପ ଓ ତୃଣଭୋଜୀ ପ୍ରାଣୀ ଏଥିରେ ଅନ୍ତର୍ଭୁକ୍ତ। ସାମୁଦ୍ରିକ ଜୀବମାନଙ୍କର ପରିସଂସ୍ଥାନ ଆଜି ଧ୍ୱଂସାଭିମୁଖୀ ପରିସ୍ଥିତିରେ । କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ସମୁଦ୍ର ବିଜ୍ଞାନ ଉପରେ ଗବେଷଣାରତ ରବର୍ଟ ମିଲରଙ୍କ ମତରେ ଜଳବାୟୁର ପରିବର୍ତ୍ତନ ଯୋଗୁ ଧୀରେ ଧୀରେ କେତେକ ପରିସଂସ୍ଥାନ ତାହାର ପୂର୍ବ ଅବସ୍ଥାକୁ ଆଉ କେବେ ବି ଫେରିପାରିବନି । ଏହା ଏବେ ଆଉ ଏକ ଚିନ୍ତାର ବିଷୟ ।
ସମୁଦ୍ରରେ ତାପମାତ୍ରାର ଆଧିକ୍ୟ ଯୋଗୁ ପକ୍ଷୀମାନେ ବି ବୁଡ଼ ପାରୁନାହାନ୍ତି । ତାଙ୍କର ଖାଦ୍ୟ ବି ମିଳୁନି ।
ଆମେ ଜାଣିଛନ୍ତି ସବୁ ଜୀବ ନିଜ ନିଜ ମଧ୍ୟରେ ଛନ୍ଦାଛନ୍ଦି ଓ ନିର୍ଭରଶୀଳ । କୋଉ ଜୀବ ଖାଦ୍ୟ ତ ଆଉ କିଏ ଖାଦକ। ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଓ ଭାରତ ମହାସାଗରରେ ଅଧିକ ସାମୁଦ୍ରିକ ଜୀବ ତଥା ଉଦ୍ଭିଦ ଓ ପ୍ରାଣୀଙ୍କର ବାସସ୍ଥାନ ରହିଛି । ଜଳ ଭିତରେ ରହିଥିବା ସାମୁଦ୍ରିକ ଘାସ ଅଙ୍ଗାରକାମ୍ଳକୁ ଶୋଷଣକରି ଅମ୍ଳଜାନ ଯୋଗାଏ । ବିଭିନ୍ନ ପ୍ରକାର ସାମୁଦ୍ରିକ ଶୈବାଳ, ଘାସ, ବ୍ଲୁ ଫିନ୍ ଟୁନା ମାଛ, ସିଲ୍, ସାର୍କ, ବ୍ଲୁ ହ୍ବେଲ, ସମୁଦ୍ର କଇଁଛ, ଡଲ୍ଫିନ ଇତ୍ୟାଦି ବିଭିନ୍ନ ପ୍ରକାର ମାଛ ଆଜି ମୃତ୍ୟୁର ଦ୍ୱାର ଦେଶରେ । ଯଦି ଏମିତି ଅବ୍ୟବସ୍ଥା ଓ ପ୍ରଦୂଷଣ ଲାଗିରହେ, ତେବେ ଆଉ କିଛିଦିନ ପରେ ସାମୁଦ୍ରିକ ଜୀବସମୂହ ସମୁଦ୍ର ଗର୍ଭରୁ ସବୁଦିନ ପାଇଁ ବିଦାୟ ନେଇଯିବେ । ଆମର ଭବିଷ୍ୟତ ପିଢ଼ି କେବଳ ସାମୁଦ୍ରିକ ଜୀବମାନଙ୍କର ଫଟୋଚିତ୍ର ଦେଖି ସେସବୁ ଜୀବମାନଙ୍କର କଳ୍ପନା କରିବେ, ମାତ୍ର ବାସ୍ତବରେ ଦେଖିବା ସମ୍ଭବ ହେବ ନାହିଁ । ତା’ପରେ କିଛି ବର୍ଷ ପରେ ଏହି ଧାରାରେ ସାମିଲ ହୋଇପାରେ ଆଜିର ମଣିଷ । ଅତଏବ ଆମର ବି ସ୍ଥିତି ପ୍ରଶ୍ନବାଚୀ ।
-ବିଜ୍ଞାନ ଶିକ୍ଷୟିତ୍ରୀ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ