ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଜଳକା: ତଳିଆ ଅଞ୍ଚଳ ସ୍ଥିତି ଉପରେ ନଜର

ବାଲେଶ୍ୱର ଅଫିସ/ବସ୍ତା,୨୭।୮(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ବସ୍ତା ଅଞ୍ଚଳ ଦେଇ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ତଳମୁଣ୍ଡର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଏହା ଅଞ୍ଚଳବାସୀଙ୍କ ମନରେ ଛନକା ସୃଷ୍ଟି କରିଛି। ପ୍ରଶାସନ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ମଥାନୀ ନିକଟରେ ନଦୀର ବିପଦ ସଂକେତ ୫.୫୦ ମିଟର ଥିବାବେଳେ ସୋମବାର ସନ୍ଧ୍ୟା ୭ଟା ବେଳେ ବନ୍ୟାଜଳ ୬.୪୨ ମିଟରରେ ପ୍ରବାହିତ ହେଉଥିଲା। ବାହାର୍ଦ୍ଦା ପଞ୍ଚାୟତର ଶିବଗୋତିଆ ଠାରେ ନଦୀ ବନ୍ଧ ଦୁର୍ବଳ ଥିବା ଯୋଗୁଁ ସେଠାରେ ତତ୍କାଳ ଭିତ୍ତିରେ ବାଲି ବସ୍ତା ପକାଯାଇଛି। ଜିଲା ଜରୁରୀକାଳୀନ ଅଧିକାରୀ ଅଭୟ କୁମାର ନାୟକ କହିଛନ୍ତି, ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଥିଲେ ମଧ୍ୟ ଦୀର୍ଘ ୭ଘଣ୍ଟା ଧରି ଏହା ସ୍ଥିର ରହିଛି। ଅଳ୍ପ କେତେକ ଅଞ୍ଚଳରେ ବନ୍ୟା ଜଳ ଚାଷଜମି ଓ ତଳି ଅଞ୍ଚଳରେ ପ୍ରବେଶ କରିଛି। ସୋମବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବନ୍ୟାଞ୍ଚଳ ପରିଦର୍ଶନ କରି ଫେରିଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ନରେନ୍ଦ୍ର ଖମାରୀ ଓ ବିଡ଼ିଓ କୁକୁମିନା ଦାସଙ୍କୁ ସ୍ବତନ୍ତ୍ର ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଏନ୍‌ଡ଼ିଆର୍‌ଏଫ୍‌ ଟିମ୍‌ ସହ ବୋଟ୍‌, ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ବିସ୍କୁଟ୍‌, କିରୋସିନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖାଯାଛି।