ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ଶିଶୁ, ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର ଓ ଗଣବଳାତ୍କାର, ଅପହରଣ, ନିଖୋଜ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାର ଏହା ଉପରେ ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦରେ ବୁଧବାର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ଗଣଧାରଣା ଓ ବିକ୍ଷୋଭ ଦିଆଯାଇଥିଲା। ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରତିବାଦ ସଭା ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ଓ ବିକ୍ଷୋଭକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରିଥିଲା। ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା, ନାବାଳିକା ବଳାତ୍କାର, ଗଣ ବଳାତ୍କାର, ଅପହରଣ ଓ ନିଖୋଜ ଭଳି ଉଦ୍‌ବେଗଜନକ ଘଟଣା ଘଟି ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ଠିକ୍‌ ଅଛି ବୋଲି ବିବୃତି ଦେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ମହାପାତ୍ର ଉଦ୍‌ବୋଧନ ଦେଇ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ବିଜେଡି ସରକାରଙ୍କର ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ପୂରାପୂରି ବିଫଳ ହୋଇଛନ୍ତି। ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀଦିନରେ ରାଜ୍ୟ ପାଇଁ ବିପଦ ସୃଷ୍ଟି ହେବ। ଏହି ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସଂଗ୍ରାମ କେଶରୀ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ସିପ୍ରା ସେନାପତି, ସେକ୍‌ ଅଫତାବ ଅଲ୍ଲି, ନିରୋଦ ଗଡନାୟକ, ମନୋଜ ସାହୁ, ସଞ୍ଜୟ ନାୟକ, ସରୋଜ ମହାନ୍ତି, ଶୈଳେନ୍ଦୁ ମଜୁମଦାର, କୈଳାସ ସାହୁ, କୁସୁମ ପ୍ରଧାନ, ଜ୍ୟୋତିଷ ସାହୁ, ସଂକୁନା କହଁର, ମୁନି ଥାପା, ନିରୁପମା ପାତ୍ର, ଆଦିତ୍ୟ ସାହୁ, କ୍ଷୀରୋଦ ବାବୁ ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share