ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ: ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ

କେନ୍ଦୁଝର, ୩ା୭(ସ୍ବ.ପ୍ର.)-ଗମନାଗମନର ସୁବିଧା ପାଇଁ ସବୁ ଗ୍ରାମକୁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ଗ୍ରାମାଞ୍ଚଳ ରାସ୍ତା ଘାଟର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ କେନ୍ଦୁଝର ଜିଲାର ଅନେକ ଗ୍ରାମକୁ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ସବୁ ଦିନିଆ ରାସ୍ତା ନ ଥିବାରୁ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରାସ୍ତା ନ ଥିବାରୁ ବର୍ଷା ଦିନରେ ଆମ୍ବୁଲାନସ ଗାଡି ପହଞ୍ଚି ପାରୁ ନ ଥିବାରୁ ରୋଗୀ ନେବା ଆଣିବା ରେ ବହୁ ସମସ୍ୟା ଦେଖାଦେଉଛି ା ଫଳରେ ରୋଗୀଙ୍କୁ ଖଟିଆ, ପାଛିଆ, ଭାର ଆଦିରେ ବୁହା ହୋଇ ଡାକ୍ତରଖାନା ଅଣାଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।
ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ ମଙ୍ଗଳବାର ଜଣେ ଜୁଆଙ୍ଗ ମହିଳାଙ୍କୁ ଗ୍ରାମବାସୀମାନେ ଝୁଡିରେ ବୋହି ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ନ ପାରି ଅଧ ରାସ୍ତାରେ ଅଟକି ଯାଇଥିଲା ା କେନ୍ଦୁଝର ସହର ଠାରୁ ପ୍ରାୟ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଜୁଆଙ୍ଗ, ମୁଣ୍ଡା ଆଦିବାସୀ ଲୋକ ରହୁଛନ୍ତି॥ ଠାକୁରଡିହିଠାରୁ ଗୋନାସିକା ରାସ୍ତାରୁ ଉକ୍ତ ଗ୍ରାମକୁ ଯାଇଥିବା ରାସ୍ତାଟି ଖରାପ ଥିବାରୁ ଲୋକ ମାନେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ କେହି ଶୁଣୁନାହାନ୍ତି। ଉକ୍ତ ଗ୍ରାମରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଣୁ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇଥାଏ ା ଆମ୍ବୁଲାନ୍ସ ଆସିଲେ ରାସ୍ତା ଭଲ ନ ଥିବାରୁ ଗ୍ରାମରେ ପହଞ୍ଚି ପାରେ ନାହିଁ ା ଏଣୁ ବାଧ୍ୟ ହୋଇ ରୋଗୀଙ୍କୁ ଗ୍ରାମରୁ ଝୁଡି ରେ ବୋହି ଆଣି ଆମ୍ବୁଲାନସ ନିକଟରେ ପହଞ୍ଚାନ୍ତି ବୋଲି ଜଣେ ସ୍ଥାନୀୟବାସୀ କହିଛନ୍ତି। ଏଣୁ ରୋଗୀ ବିଳମ୍ବରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥାଏ ା ଅନେକ ସମୟରେ ରୋଗୀ ଗୁରୁତର ହୋଇ ମୃତ୍ୟୁମୁଖରେ ପଡନ୍ତି ବୋଲି ସ୍ଥାନୀୟ ଅଧିବାସୀ ତଥା ଜଙ୍ଗଲ ସୁରକ୍ଷା ସମିତିର ସଭାପତି ପ୍ରାଣବଲ୍ଲଭ ଘଣା କହିଛନ୍ତି।