ଭୁବନେଶ୍ୱର,୧।୮, (ବ୍ୟୁରୋ) ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ ୬୬୦ ଆଉଟ୍ଲେଟ ରହିଛି। ଏହା ମଧ୍ୟରୁ ପ୍ରାୟ ୨୦୦ ଆଉଟଲେଟରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯିବାକୁ ପଦକ୍ଷେପ ନିଆଯାଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ୫୫୦ (ପ୍ରାୟ ୮୦%) ଆଉଟଲେଟରେ ସେବା ଉପଲବ୍ଧ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକୁ ରୂପରେଖ ପ୍ରଦାନ କରିବା ଲାଗି ବିପିସିଏଲ୍ ଏବଂ ଫିନୋ ପେମେଣ୍ଟସ ବ୍ୟାଙ୍କ ଚୁକ୍ତିରେ ସାମିଲ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କର ମଞ୍ଜୁରୀ ପରେ ଫିନୋର ଏକ ପ୍ରମୁଖ ସହଯୋଗୀ ଭାବେ ବିପିସିଏଲ୍ କାର୍ଯ୍ୟ କରୁଛି। ରାଜ୍ୟରେ ‘ଗଲି ଗଲି ଫିନୋ’ ଅଭିଯାନର ଶୁଭାରମ୍ଭ କରି ବ୍ୟାଙ୍କର ବିକ୍ରି ଓ ବିପଣନ ମୁଖ୍ୟ ବିପ୍ର ଭରଦ୍ୱାଜ ଏହି ସୂଚନା ଦେଇଛନ୍ତି।