Categories: ବାଣିଜ୍ୟ

ବିପିସିଏଲ୍‌ ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ ୨୭ରେ

ଭୁବନେଶ୍ୱର,୨୩-୧୨: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀରରେ ସ୍ଥାପନ କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଚଳିତ ମାସ ୨୭ରେ ହେବ। ଏଠାରେ କମ୍ପାନୀ ପକ୍ଷରୁ ଅନୁଷ୍ଠିତ ଏକ ଖବରଦାତା କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ଏଲପିଜି ପ୍ରବନ୍ଧକ ଅତୁଲ କୁମାର ଏହି ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଏହାକୁ ରାଷ୍ଟ୍ର ଉଦେଶ୍ୟରେ ସମର୍ପଣ କରିବେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ଏମ୍‌ଏଲ୍‌ଏ ନରସିଂହ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ବଲାଙ୍ଗୀର ରେଳ ଷ୍ଟେଶନଠାରୁ ୧୨ କିମି ଦୂର ବରକାନି ଗ୍ରାମରେ ଏହି ପ୍ଲାଣ୍ଟକୁ ନିର୍ମାଣ କରାଯାଇଛି। ଏଥିରେ ୧୦୩ କୋଟି ଟଙ୍କା ନିବେଶ କରାଯାଇଛି। ଉକ୍ତ ପ୍ଲାଣ୍ଟ ୨୩ ଏକର ପରିମିତ ସ୍ଥାନରେ ଅବସ୍ଥିତ। ଏହାର ବାର୍ଷିକ କ୍ଷମତା ୪୨ ଲକ୍ଷ ସିଲିଣ୍ଡର ରହିଛି। ନୂଆ ଟେକ୍ନୋଲୋଜି ସହ ପ୍ଲାଣ୍ଟକୁ ୧୯ ମାସରେ ସମ୍ପୂର୍ଣ୍ଣ କରାଯାଇଛି। ଏହି ପ୍ଲାଣ୍ଟ ୨୦୨୦ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ୧୪ ଜିଲାରେ ଏଲ୍‌ପିଜି ସିଲିଣ୍ଡର ଯୋଗାଣ କ୍ଷେତ୍ରରେ ଏହା ନିଜର ଯୋଗଦାନ ରଖିବ। ଉକ୍ତ ପ୍ଲାଣ୍ଟର ସ୍ଥାପନା ଲାଗି ଗତ ବର୍ଷ ମେ ମାସରେ କେନ୍ଦ୍ର ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାମାଜିକ ନ୍ୟାୟ ଏବଂ ଶସକ୍ତିକରଣ ମନ୍ତ୍ରୀ ଅଓ୍ବର ଚାନ୍ଦ ଗେହେଲଟ ଭିତ୍ତିପ୍ରସ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ଡିଜିଏମ କେଭିଆର ସୁବୁଦ୍ଧି,ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, ବ୍ରାଣ୍ଡ ଆଣ୍ଡ ପିଆର୍‌ ଡିଜିଏମ୍‌ ସୁନ୍ଦର ରାଜନ ପ୍ରମୁଖ ଯୋଗ ଦେଇଥିଲେ।

Share