ବିପୁଳ ପରିମାଣର ବିଦେଶୀ ମଦ ଜବତ: ୨ ବ୍ୟବସାୟୀ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ଅବକାରୀ ବିଭାଗ ଦାରା ଶୁକ୍ରବାର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଓ ଚମ୍ପାଝର ବଜାର ଅଞ୍ଚଳରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ହୋଇଛି। ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୨ ଜଣ ବ୍ୟବସାୟୀଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଚୋରାମଦ ବିକ୍ରି ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଠାକୁରମୁଣ୍ଡା ଅବକାରୀ ଥାନା କର୍ମଚାରୀଙ୍କ ସହାୟତାରେ ଭୋର୍‌ରୁ ଠାକୁରମୁଣ୍ଡା ନିକଟ ଚମ୍ପାଝର ବଜାର ଅଞ୍ଚଳରେ ବିଦେଶୀ ମଦ ବିକ୍ରି କରୁଥିବା ଘର ଉପରେ ଚଢ଼ାଉ କରିଥିଲେ। ସେଠାରୁ ୪୩ଲିଟର ୮୦୦ ମିଲିଲିଟର ବିୟର ଓ ୫୭ଲିଟର ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଜବତ କରିବା ସହ ଚମ୍ପାଝର ଗ୍ରାମର ମଦ ବ୍ୟବସାୟୀ ରତ୍ନାକର ସାହୁକୁ ଗିରଫ କରିଥିଲେ। ସେହିପରି ଠାକୁରମୁଣ୍ଡା ବଜାରରେ ଥିବା ଏକ ଦୋକାନ ଉପରେ ଚଢ଼ାଉ କରି ୧୯ଲିଟର ବିୟର ଓ ୨୦ଲିଟର ବିଦେଶୀ ମଦ ଜବତ କରି ରାକେଶ କୁମାର ସାହୁଙ୍କୁ ଗିରଫ କରିଥିଲେ। ଜବତ ମଦର ମୂଲ୍ୟ ୫୦ ହଜାର ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ କହିଛି। ଠାକୁରମୁଣ୍ଡା ଅବକାରୀ ଥାନା କେସ ନଂ. ୧୯୦,୧୯୧ ଅନୁଯାୟୀ ମାମଲା ରୁଜୁ ହୋଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫ୍ଲାଇଙ୍ଗ ସ୍କ୍ବାଡର ଆଇଆଇସି ସୁଶାନ୍ତ ପାଢ଼ୀ, ସବ୍‌ଇନ୍ସପେକ୍ଟର ମନୀଷା ବଳ, କମଲ ପାଇକରାୟ, ଠାକୁରମୁଣ୍ଡା ଅବକାରୀ ସବ୍‌ଇନ୍ସପେକ୍ଟର କ୍ଷୀତିଶ ଦାଶ, ଏଏସ୍‌ଆଇ ଶରତ ଦାସଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।