Categories: ଗଞ୍ଜାମ

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ପଥର ମାଫିଆ ଗିରଫ

ଦିଗପହଣ୍ଡି/ପାଟପୁର,୧ା୮(ଡି.ଏନ.ଏ.)-ପାଟପୁର ପୋଲିସ ବୁଧବାର ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ମୌଜା ମହୁଲ ପାହାଡ଼ ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି ପାହାଡ଼ରେ ବେଆଇନ ପଥର ବିସ୍ଫୋରଣ କରୁଥିବା ଅଭିଯୋଗରେ ପୋଲିସ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ରଜନୀକାନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅନ୍ୟ କେତେକ ପଥର ମାଫିଆ ଫେରାର୍‌ ଅଛନ୍ତି। ରଜନୀକାନ୍ତଙ୍କ ନିକଟରୁ ୪୧ ଡିଟୋନେଟର, ୧୫ କେଜି ଆମୋନିଆ ରାସାୟନିକ ସାର, ୫ ଲିଟର ଡିଜେଲ, ଫ୍ୟୁଜ୍‌ ତାର, ଶାବଳ, କୋଡ଼ି, ହାତୁଡ଼ି ସମେତ ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ପାଟପୁର ଆଇଆଇସି ରମେଶ କୁମାର ପ୍ରଧାନ କହିଛନ୍ତି।
ଦିଗପହଣ୍ଡି ତହସିଲ ବାବୁଲି ବନ୍ଧ ମୌଜା ମହୁଲ ପାହାଡ଼ ପଥର ଖାଦାନରେ ଦୀର୍ଘଦିନ ହେଲା ବିସ୍ଫୋରଣ କରାଯାଉଥିଲା। ପଥର କ୍ବାରି ଲିଜ୍‌ କରାନଯାଇ କିଛି ରାଜସ୍ବ ବିଭାଗ କର୍ମଚାରୀଙ୍କ ବୁଝାମଣାରେ ଏଠାରୁ ପ୍ରତ୍ୟହ ଶତାଧିକ ଟ୍ରାକ୍ଟରରେ ପଥର ଚୋରାଚାଲାଣ ହେଉଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ କମ୍ପ୍ରେସର ମେଶିନ ଜରିଆରେ ଡିଟୋନେଟର ଡିନାମାଇଟ ଭଳି ଉଚ୍ଚକ୍ଷମତା ସମ୍ପନ୍ନ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇ ପାହାଡ଼ରେ ପଥର ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଦ୍ୱାରା ପଥର କ୍ବାରୀଠାରୁ ପ୍ରାୟ ୨ କିମି ଦୂରରେ ଥିବା ବାବୁଲି ବନ୍ଧ, ଜୁଆଣପଲ୍ଲୀ, କନିଆରି ସାହି, ଆଦିବାସୀ ସାହି ସମେତ ସହଦେବ ଟିକରପଡ଼ା ଆଦି ଜନବସତିର ଅର୍ଦ୍ଧାଧିକ ଘର ସବୁ ଦୋହଲି ଉଠିଥିଲା। ଭୂମିକମ୍ପ ଆଶଙ୍କାରେ ଲୋକେ କିଛି କ୍ଷଣ ପାଇଁ ଶିହରି ଉଠିଥିଲେ। ଖବର ପାଇ ଏସଆଇ ଶୁଭ୍ରଜିତ ସାମନ୍ତରା ସଦଳବଳ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଂ. ୧୫୩/୧୯ ମାମଲା ରୁଜୁ କରିଛନ୍ତି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି। ଏନେଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଭୀଷ୍ମଗିରି ଆରଆଇ ଶ୍ରୀକାନ୍ତ ଦେରା ତାଙ୍କୁ ଜଣାଇଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।