Categories: ଜାତୀୟ

ବିଫଳତାରୁ ଧ୍ୟାନ ହଟାଇବାକୁ ଉଦ୍ୟମ

ନୂଆଦିଲ୍ଲୀ,୭ା୧୨(ପି.ଟି.): କୌଣସି ପରିସ୍ଥିତିରେ ବି ପୋଲିସ ଭିଡ଼ହିଂସାକାରୀ ଉତ୍ତ୍ୟକ୍ତ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ଅଧିକାର କର୍ମୀମାନେ କହିଛନ୍ତି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏନ୍‌କାଉଣ୍ଟର ଏକ ଉଦ୍ୟମ ବୋଲି ସେମାନେ ମତ ଦେଇଛନ୍ତି। ଏହା ନ୍ୟାୟ ନୁହେଁ, ପୋଲିସ, ବିଚାର ବିଭାଗ, ସରକାରଙ୍କ ଉତ୍ତରଦାୟିତ୍ୱ ଦାବିକୁ ବନ୍ଦ କରିଦେବା ଲାଗି ଏକ ଚାଲ୍‌ ବୋଲି ଅଲ୍‌ ଇଣ୍ଡିଆ ପ୍ରୋଗ୍ରେସିଭ୍‌ ଓ୍ବମେନ୍ସ ଆସୋସିଏଶନର ସମ୍ପାଦକ କବିତା କ୍ରିଷ୍ଣନ କହିଛନ୍ତି। ମାନବାଧିକାର ସଂଗଠନଗୁଡ଼ିକ ଏହାକୁ ଆଇନ ବହିର୍ଭୂତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଏନ୍‌କାଉଣ୍ଟର କରିଥିବା ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପିପୁଲ୍ସ ୟୁନିୟନ ଫର ସିଭିଲ ଲିବର୍ଟିଜ୍‌ (ପିୟୁସିଏଲ୍‌) କହିଛି। ସରକାରଙ୍କ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ଏକ ଉଦ୍ୟମ ବୋଲି ଭାରତୀୟ ମହିଳା ଜାତୀୟ ମହାସଂଘ (ଏନ୍‌ଏଫ୍‌ଆଇଡବ୍ଲ୍ୟୁ)ର ସାଧାରଣ ସମ୍ପାଦକ ଆନି ରାଜା କହିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏନ୍‌କାଉଣ୍ଟର ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଇନଜୀବୀ ତଥା ଅଧିକାର କର୍ମୀ ବୃନ୍ଦା ଗ୍ରୋଭର କହିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଲୋକଙ୍କ ଧ୍ୟାନ ହଟାଇବା ଲାଗି ଏହା ସରକାରଙ୍କ ଉଦ୍ୟମ ବୋଲି ମାନବାଧିକାର କର୍ମୀ ଶବନମ୍‌ ହାଶମି କହିଛନ୍ତି। ସେହିପରି ଜାତୀୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲଲିଥା କୁମାରମଙ୍ଗଳମ୍‌ କହିଛନ୍ତି, ବର୍ବରତାପୂର୍ଣ୍ଣ ଗଣବଳାତ୍କାରକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଏନ୍‌କାଉଣ୍ଟର ଘଟଣାରେ ଲୋକେ ବିନା ବିଚାରରେ ପ୍ରତିକ୍ରିୟା ଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏଭଳି ହେଲେ ଦେଶରେ ଭିଡ଼ହିଂସା ନ୍ୟାୟକୁ ଜନ୍ମଦେବ। ଆଇନକୁ ଲୋକଙ୍କ ହାତକୁ ଟେକିଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

Share