ପ୍ରକାଶ ତ୍ରିପାଠୀ
ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ ବହୁ ଦୂରରେ ଅବସ୍ଥିତ ହସ୍ତିନାପୁର ରାଜପ୍ରାସାଦ ଭିତରେ ଅନ୍ଧ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ନିଜ ଆଖିରେ ଦେଖି କହୁଥିଲେ। ଦେଢ଼ଶହ ବର୍ଷ ପୂର୍ବେ ଭାରତୀୟମାନେ ପୁରାଣରୁ ଏସବୁ ପଢୁଥିଲା ବେଳେ ଏହା ସେମାନଙ୍କୁ ଅବାସ୍ତବ ତଥା ମନଗଢ଼ା କାହାଣୀ ଭଳି ଲାଗିଥିବ। ସେମାନଙ୍କୁ ଏହା କୌତୂହଳ ଲାଗିଥିବ ଯେ, ଗାନ୍ଧାରୀ କିପରି ଏକଶହ ସନ୍ତାନଙ୍କ ଜନନୀ ହୋଇପାରିଲେ। ଆଜିର ସମୟରେ ଆକାଶମାର୍ଗରେ ଉଡ଼ୁଥିବା ବିଭିନ୍ନ କିସମର ବିମାନ, ହଜାର ହଜାର ମାଇଲ ଦୂରରେ ଘଟୁଥିବା ଘଟଣାର ଶବ୍ଦ ଓ ଦୃଶ୍ୟର ସିଧା ପ୍ରସାରଣ, ଷ୍ଟେମ୍ ସେଲ୍ ଦ୍ୱାରା ତଥା ଟେଷ୍ଟଟ୍ୟୁବ୍ ମାଧ୍ୟମରେ ନୂତନ ଜୀବର ସୃଷ୍ଟି ହେବା ପରେ ଆମକୁ ଆଉ କିଛି ଅବାସ୍ତବ ବା କାଳ୍ପନିକ ଲାଗୁନାହିଁ। ମାତ୍ର ମନରେ ପ୍ରଶ୍ନ ଉଠେ, ଅତି ପୁରାତନ ଭାରତରେ ଅର୍ଥାତ୍ ତ୍ରେତୟା ଓ ଦ୍ୱାପର ଯୁଗରେ ଘଟିଥିବା ଘଟଣାଗୁଡିକ ସତ ଥିଲା ନା ତାହା ଥିଲା କବିଙ୍କ କଳ୍ପନା?
ଏଭଳି ଏକ ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର କାରଣ ହେଲା, ଗତ ଜାନୁୟାରୀ ପ୍ରଥମ ସପ୍ତାହରେ ଜଳନ୍ଧରରେ ଅନୁଷ୍ଠିତ ୧୦୬ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନରେ ଏଭଳି କିଛି ପୌରାଣିକ ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହାକୁ ଉପସ୍ଥାପନ କରିଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଜି. ନାଗେଶ୍ୱର ରାଓ। ୧୮୫୯ ମସିହାରେ ପ୍ରଖ୍ୟାତ ଜୀବବିଜ୍ଞାନୀ ଚାର୍ଲସ ଡାର୍ଓ୍ବିନଙ୍କ ଦ୍ୱାରା ପ୍ରକାଶିତ ବିବର୍ତ୍ତନବାଦ ସିଦ୍ଧାନ୍ତଠାରୁ ଭାରତୀୟ ପୁରାଣରେ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ଦଶାବତାର ବୃତ୍ତାନ୍ତ ଅଧିକ ଉନ୍ନତ ଓ ଏହା ବିବର୍ତ୍ତନବାଦର ସର୍ବପ୍ରଥମ ସିଦ୍ଧାନ୍ତ ବୋଲି ବୈଜ୍ଞାନିକ ଡ. ରାଓ ଏହି ଅଧିବେଶନରେ ମତ ରଖିଛନ୍ତି। ଏହା ସହ ଡ. ରାଓ ଆହୁରି ସୂଚନା ଦେଇଥିଲେ ଯେ, ଗାନ୍ଧାରୀଙ୍କ ଶତପୁତ୍ର ଜନ୍ମ ସେତେବେଳେ ଷ୍ଟେମ୍ ସେଲ ଓ ଟେଷ୍ଟଟ୍ୟୁବ୍ ପଦ୍ଧତି ଦ୍ୱାରା ସମ୍ପନ୍ନ ହୋଇଥିଲା ଓ ସୁଦର୍ଶନ ଚକ୍ର ଆଜିର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଭଳି ଶତ୍ରୁକୁ ଆଘାତ କରି ପୁନର୍ବାର ଫେରିଆସୁଥିଲା। ଆଜି ବିଜ୍ଞାନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଆଧୁନିକ ମଣିଷ ଯାହା କରିପାରୁଛି, ପୌରାଣିକ ତଥା ଅତି ପ୍ରାଚୀନ ଭାରତରେ ମଧ୍ୟ ଅନୁରୂପ କାର୍ଯ୍ୟ ସମ୍ପାଦନ ହୋଇପାରୁଥିଲା। ତେବେ ଜୀବନର କ୍ରମବିକାଶରେ ସାବ୍ୟସ୍ତ ହୋଇଥିବା ଏକ ସର୍ବୋତ୍କୃଷ୍ଟ ଓ ବିଜ୍ଞାନସମ୍ମତ ଡାରଓ୍ବିନଙ୍କ ବିବର୍ତ୍ତନବାଦ ସିଦ୍ଧାନ୍ତକୁ ଡ. ରାଓ ଯେଭଳିଭାବେ ପୁରାଣବର୍ଣ୍ଣିତ ଦଶାବତାର ସହ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ, ତାହା ଅନେକ ଜୀବବିଜ୍ଞାନୀଙ୍କୁ ନିଶ୍ଚିତ ସ୍ତମ୍ଭୀଭୂତ କରିଥିବ।
ଜୀବ ଓ ମାନବର କ୍ରମବିକାଶକୁ କ୍ରମାନ୍ବୟରେ ଯଦି ଉପସ୍ଥାପନ କରାଯାଏ, ତେବେ ପ୍ରାଚୀନ ଗ୍ରନ୍ଥରେ ବର୍ଣ୍ଣିତ ଦଶାବତାର ଓ ଡାର୍ଓ୍ବିନଙ୍କ ବିବର୍ତ୍ତନବାଦ ମଧ୍ୟରେ ବିଶେଷ କିଛି ଫରକ ନାହିଁ। ପ୍ରକାରାନ୍ତରେ ଦଶାବତାରରେ ହିଁ ଉପଲବ୍ଧି କରିହୁଏ ଏହାର ବଳିଷ୍ଠ ତଥା ତାତ୍ତ୍ୱିକ ପ୍ରମାଣ। ବିଷ୍ଣୁଙ୍କ ଦଶାବତାର ମଧ୍ୟରେ ପ୍ରଥମ ଅବତାର ହେଉଛି ମତ୍ସ୍ୟ। ଏହା ଏକ ଜଳଜୀବ। ବିଜ୍ଞାନ କହିଥାଏ ଯେ ଜଳରୁ ହିଁ ପ୍ରଥମ ଜୀବନ ସୃଷ୍ଟି। ଡାର୍ଓ୍ବିନଙ୍କ ସିଦ୍ଧାନ୍ତ ବି ଏହା କହିଥାଏ। ତେଣୁ ମତ୍ସ୍ୟ ଅବତାରକୁ ଜୀବନ ସୃଷ୍ଟିର ଅର୍ଥାତ୍ ବିବର୍ତ୍ତନବାଦର ପ୍ରଥମ ସୋପାନ କହିଲେ କିଛି ଭୁଲ୍ ହେବନାହିଁ। ଏହାପରେ ବିଷ୍ଣୁଙ୍କ ଦ୍ୱିତୀୟ ଅବତାର ହେଉଛି କଚ୍ଛପ ବା କଇଁଛ। ଏହା ଏକ ଉଭୟଚର ପ୍ରାଣୀ। ଅର୍ଥାତ୍ ଉଭୟ ଜଳ ଓ ସ୍ଥଳରେ ଏହା ବଞ୍ଚତ୍ପାରେ। ଏହା ପ୍ରମାଣ କରେ ଯେ, ସମଗ୍ର ବିଶ୍ୱ ପ୍ରଥମେ ଜଳାର୍ଣ୍ଣବ ଥିଲା ଓ ପରେ କିଛି କିଛି ସ୍ଥଳଭାଗ ସୃଷ୍ଟି ହେଲା। ତେଣୁ କଚ୍ଛପ ନିଶ୍ଚିତ ଭାବେ ମତ୍ସ୍ୟଠାରୁ ଏକ ବିକଶିତ ଓ ଉନ୍ନତ ଜୀବ। ତୃତୀୟ ଅବତାର ହେଉଛି ବରାହ। ଏହା ସମ୍ପୂର୍ଣ୍ଣ ସ୍ଥଳଚର। ତେଣୁ ଏହା ଏକ ସମ୍ପୂର୍ଣ୍ଣ ବିକଶିତ ସ୍ଥଳବାସୀ ଜୀବ। ଏହା ପ୍ରମାଣ ଦିଏ ପୃଥିବୀରେ ସ୍ଥଳଭାଗର ଉତ୍ପତ୍ତି ଓ ସ୍ଥଳଚର ପ୍ରାଣୀଙ୍କ ବିକାଶ। ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ହେଉଛି ନୃସିଂହ। ଏହା ଉଭୟ ପଶୁ ଓ ମଣିଷର ଏକ ମିଶ୍ରିତ ରୂପ, ଯାହାକି ପଶୁରୁ ମଣିଷକୁ ରୂପାନ୍ତରିତ ହେବାର ଏକ ପ୍ରତୀକ। ଏଥର ଆସନ୍ତୁ ବିଷ୍ଣୁଙ୍କ ପଞ୍ଚମ ଅବତାର ଅର୍ଥାତ୍ ବାମନ ରୂପକୁ। ଏହା ଲଘୁ ରୂପରେ ମାନବ ଜୀବନ ବିକାଶର ପ୍ରଥମ ପ୍ରତୀକ। ମାନବ ଶରୀରର ସମ୍ପୂର୍ଣ୍ଣ ବିକାଶ ଘଟିଛି ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ରୂପରେ। ଏଥିରେ ମଣିଷ ଏକ ବ୍ୟବସ୍ଥିତ ଜୀବନକୁ ଉନ୍ନୀତ ହେବାର ସଙ୍କେତ ବହନ କରେ। ସପ୍ତମ ଅବତାର ଶ୍ରୀରାମଙ୍କ ହାତରେ ଧନୁତୀର ଧାରଣ ସଙ୍କେତ ଦିଏ ଯେ ମଣିଷ କ୍ରମେ ନିଜର ତଥା ସମୁଦାୟର ସୁରକ୍ଷା ପାଇଁ ସକ୍ଷମ ହେଲା। ଅଷ୍ଟମ ଅବତାରରେ ବଳରାମଙ୍କୁ ହଳ ଲଙ୍ଗଳ ଧରାଇବାର ତାତ୍ପର୍ଯ୍ୟ ହେଉଛି ମଣିଷ କ୍ରମେ କୃଷି ସହ ନିଜକୁ ସଂପୃକ୍ତ କରାଇଲା। ସମାଜରେ କୃଷି ଆଧାରିତ ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାର ପ୍ରତିଷ୍ଠା ହେଲା। ନବମ ଅବତାର କୃଷ୍ଣ ହିଁ ପରିପୂର୍ଣ୍ଣ, ପ୍ରାଜ୍ଞ ତଥା ସମ୍ପୂର୍ଣ୍ଣ ବିକଶିତ ମଣିଷର ପ୍ରତୀକ। ଏହା ରାଜନୀତି, କୂଟନୀତି, ସମାଜ ଦର୍ଶନ, ଆଧ୍ୟାତ୍ମିକ ଆଦି ପ୍ରତିଟି କ୍ଷେତ୍ରରେ ଏକ ସ୍ବୟଂସମ୍ପୂର୍ଣ୍ଣ ରୂପ। ଦଶମ ଅବତାର କଳ୍କୀ ଏକ ଭବିଷ୍ୟତର କାଳ୍ପନିକ ଅବତାର, ଯାହାର ଅବତାରଣା ଭବିଷ୍ୟତ ହିଁ ଦର୍ଶାଇବ। ଡ. ନାଗେଶ୍ୱର ରାଓଙ୍କ ଉପରୋକ୍ତ ତାତ୍ତ୍ୱିକ ବିଶ୍ଳେଷଣକୁ ଆଧୁନିକ ଜୀବବିଜ୍ଞାନୀମାନେ କେଉଁ ଦୃଷ୍ଟିରେ ଗ୍ରହଣ କରିବେ ତାହା ଅଲଗା କଥା, ମାତ୍ର ଜୀବର କ୍ରମବିକାଶ ଦୃଷ୍ଟିରୁ ଭଗବାନ ବିଷ୍ଣୁଙ୍କ ଦଶାବତାର ବର୍ଣ୍ଣନା ନିଶ୍ଚିତ ଗ୍ରହଣଯୋଗ୍ୟ ଓ ହିନ୍ଦୁଧର୍ମର ପୁରାଣକାର ଏଥିପାଇଁ ଧନ୍ୟବାଦାର୍ହ। ଏପରି କି ମନୁସ୍ମୃତିରେ ମଧ୍ୟ ଜୀବ ସୃଷ୍ଟି ଓ ଏହାର କ୍ରମବିକାଶ ସମ୍ପର୍କରେ ସୂଚନା ରହିଛି।
ଡ. ନାଗେଶ୍ୱର ରାଓଙ୍କ ପୂର୍ବରୁ ପ୍ରଖ୍ୟାତ ବ୍ରିଟିଶ ବୈଜ୍ଞାନିକ ଜନ୍ ବର୍ଡନ ସାଣ୍ଡରସନ ହାଲଡେନ ମଧ୍ୟ ଦଶାବତାରକୁ ଜୀବର କ୍ରମବିକାଶର ସର୍ବଶ୍ରେଷ୍ଠ ଉଦାହରଣ ବୋଲି ଦର୍ଶାଇଥିଲେ। ବିଶିଷ୍ଟ ଜୀବବିଜ୍ଞାନୀ, ଆନୁବଂଶିକ ତଥା ବିବର୍ତ୍ତନବାଦର ପ୍ରଖ୍ୟାତ ଗବେଷକ ଜେ.ବି.ଏସ୍. ହାଲଡେନ ବ୍ରିଟେନ ପରିତ୍ୟାଗ କରି ଭାରତ ଆସିବା ପରେ ଗତ ଚାଳିଶ ଦଶକରେ ପ୍ରଥମଥର ପାଇଁ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଓ ଡାରଓ୍ବିନ୍ଙ୍କ ଇଭଲ୍ୟୁଶନ ଥିଓରି ମଧ୍ୟରେ ଥିବା ସାମଞ୍ଜସ୍ୟ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେ ପ୍ରଥମ ଚାରି ଅବତାର ମତ୍ସ୍ୟ, କୂର୍ମ, ବରାହ ଓ ନରସିଂହ ଅବତାରକୁ ସତ୍ୟଯୁଗ, ବାମନ, ପର୍ଶୁରାମ ଓ ରାମ ଅବତାରକୁ ତ୍ରେତୟା ଯୁଗ, ବଳରାମ ଓ କୃଷ୍ଣଙ୍କୁ ଦ୍ୱାପର ଯୁଗରେ ରଖି ମଣିଷର କ୍ରମବିକାଶକୁ ତର୍ଜମା କରିଥିଲେ। ସେ ତାଙ୍କ ଗବେଷଣାର ନିର୍ଯ୍ୟାସ ନିଜ ପୁସ୍ତକ ‘ଦି କଜେସ୍ ଅଫ୍ ଇଭଲ୍ୟୁଶନ’ରେ ସ୍ଥାନିତ କରିଛନ୍ତି। ଜୀବର ପ୍ରଥମ ଉତ୍ପତ୍ତି ସମୁଦ୍ରରୁ ହୋଇଛି ଓ ପରେ କ୍ରମବିକାଶରେ ମଣିଷ ସୃଷ୍ଟି ହୋଇଛି। ହିନ୍ଦୁଶାସ୍ତ୍ରରେ ପ୍ରଥମ ଅବତାର ଜଳଜୀବ ଓ ପରବର୍ତ୍ତୀ କ୍ରମବିକାଶ ଅନୁଯାୟୀ ଅନ୍ୟ ଅବତାରଗୁଡିକ ପ୍ରକଟ ହୋଇଛନ୍ତି। ଚାର୍ଲସ ଡାର୍ଓ୍ବିନଙ୍କ ବିବର୍ତ୍ତନ ତତ୍ତ୍ୱକୁ ୟୁରୋପୀୟ ଧର୍ମୀୟ ଅନୁଷ୍ଠାନଗୁଡିକ ପ୍ରଥମେ ବିରୋଧ କରିଥିଲେ। ମାତ୍ର ଭାରତର ସନାତନ ହିନ୍ଦୁଧର୍ମ ଏହାକୁ ପୁରାଣ ଓ ଶାସ୍ତ୍ର ସହ ଯୋଡ଼ି ସୃଷ୍ଟିର କ୍ରମବିକାଶକୁ ସର୍ବଗ୍ରହଣୀୟ କରାଇ ପାରିଛନ୍ତି। ହାଲଡେନଙ୍କ ଏଭଳି ନିର୍ଯାସକୁ ପରବର୍ତ୍ତୀ ସମୟରେ କୌଣସି ଜୀବବିଜ୍ଞାନୀ ସେତେଟା ଗୁରୁତ୍ୱ ଦେଇନାହାନ୍ତି କି ଏହା ଉପରେ ଅଧିକ ଗବେଷଣା କରାଯାଇନାହିଁ। ଏହା ସ୍ବୀକାର୍ଯ୍ୟ ଯେ ଏବେ ବି ଭାରତୀୟ ଶାସ୍ତ୍ର, ପୁରାଣକୁ କପୋଳକଳ୍ପିତ ଭାବେ ଗ୍ରହଣପୂର୍ବକ ପୂଜାପାଠର ବସ୍ତୁଭାବେ ଗ୍ରହଣ କରାଯାଇ ଆସୁଅଛି। ଧର୍ମସ୍ଥଳୀ ତଥା ପୂଜାପାର୍ବଣ ଦିନଗୁଡିକରେ ପୁରାଣ ଶାସ୍ତ୍ରକୁ ନେଇ ପ୍ରବଚନ ଓ ଆଲୋଚନା ବି ହେଉଛି। ମାତ୍ର ଏସବୁ ଆମ ପରମ୍ପରା, ଧର୍ମ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଆବରଣ ଭିତରେ ସୀମିତ ହୋଇ ରହିଯାଉଛି। ନାଗେଶ୍ୱର ରାଓଙ୍କୁ ଅଜସ୍ର ଧନ୍ୟବାଦ ଯେ, ସେ ଭାରତୀୟ ପୁରାଣ ଶାସ୍ତ୍ରରୁ ବିଜ୍ଞାନସମ୍ମତ ପ୍ରାମାଣିକତା ଉପରେ ଗୁରୁତ୍ୱାରୋପ କରି ଏକ ନୂତନ ବିତର୍କର ମଞ୍ଚ ସୃଷ୍ଟି କରିଛନ୍ତି।
ଊନବିଂଶ ଶତାବ୍ଦୀରେ ଆଧୁନିକ ମଣିଷ ବିମାନ ନିର୍ମାଣ କରିବାକୁ ସକ୍ଷମ ହେଲା। ମାତ୍ର ହଜାର ବର୍ଷ ତଳେ ମହର୍ଷି ଭରଦ୍ୱାଜ ବିମାନ ନିର୍ମାଣ ଓ ଏହାର କାରିଗରି କୌଶଳ ‘ବୈମାନିକ ଶାସ୍ତ୍ରମ୍’ରେ ୩୦୦୦ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଯାଇଛନ୍ତି। ପ୍ରାଚୀନ ଭାରତ କେବଳ ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନର ଭୂଖଣ୍ଡ ନ ଥିଲା, ବିଜ୍ଞାନ ଓ କାରିଗରି କୌଶଳରେ ବି ଉତ୍କର୍ଷ ଲାଭ କରିଥିଲା। ବହୁ ପ୍ରତିଭାସମ୍ପନ୍ନ ମୁନି, ଋଷି ଅନେକ ଶାସ୍ତ୍ର ରଚନା କରିଯାଇଛନ୍ତି, ଯାହାକି ଏସବୁର ଜୀବନ୍ତ ପ୍ରମାଣ। ଏହା ଉପରେ ଅଧିକ ବିଜ୍ଞାନସମ୍ମତ ଅଧ୍ୟୟନ ଓ ଗବେଷଣା ହୋଇପାରିଲେ ଅନେକ ଲୁକ୍କାୟିତ ଜ୍ଞାନର ପରିପ୍ରକାଶ ହେବା ସହ ସମାଜ ପାଇଁ ଉପଯୋଗୀ ହୋଇପାରନ୍ତା।
ଇ-ମେଲ୍:prakas.tripathy69@gmail.com