ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌ ବହୁ ସେଲେବ୍ରିଟି ବିରୋଧ କରିଥିବାବେଳେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢି ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଲୋକେ ତାଙ୍କ ଘର ‘ପ୍ରତୀକ୍ଷା’ ଏବଂ ‘ଜଲସା’ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜଣେ ବିକ୍ଷୋଭକାରୀ କହିଥିଲେ, ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ। ବଚ୍ଚନ ସାର୍‌ ମେଟ୍ରୋକୁ ପ୍ରୋତ୍ସାହନ କରନ୍ତୁ। ଆମେ ବି ଏହାର ସମର୍ଥନ କରୁଛୁ। କିନ୍ତୁ ସେ ଗଛ ଓ ବଗିଚା କଥା କହି ‘ଆରେ’ ପ୍ରସଙ୍ଗକୁ ନୂ୍ୟନ କରି ଦେଇଛନ୍ତି। ଅମିତାଭ ମଙ୍ଗଳବାର ଦିନ ଏକ ଟୁଇଟ କରିଥିଲେ। ସେ ଲେଖିଥିଲେ, ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହୋଇ ଫେରିଥିଲେ। ସେ କହିଲେ ଏହା ସବୁଠୁ ଦ୍ରୁତ, ସୁବିଧାଜନକ ଓ ଦକ୍ଷ।’ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ। ସେ ଲେଖିଥିଲେ,‘ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ। ମୁଁ ମୋ ବଗିଚାରେ ଗଛ ଲଗାଇଛି। ଆପଣ ଲଗାଇଛନ୍ତି କି? ବୋଲି ଅମିତାଭ କହିଥିଲେ।

Share