ବିବାଦରେ ଜାକ୍‌ଲିନଙ୍କ ‘ଗେନ୍ଦା ଫୁଲ’

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍‌ଶାହ-ଜାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍‌ ବାଦ୍‌ଶାହଙ୍କ ଏହି ବଙ୍ଗଳା-ପଞ୍ଜାବୀ ଫ୍ୟୁଜନ୍‌ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ୬କୋଟିରୁ ଅଧିକ ଥର ଦେଖାସରିଲାଣି। ହେଲେ ଏହି ଗୀତଟି ଏକ ବିବାଦରେ ଫସିଯାଇଛି। ବାଦ୍‌ଶାହଙ୍କ ଏହି ଗୀତ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୀତର କିଛି ବଙ୍ଗୀୟ ଲିରିକ୍ସ ଓରିଜିନାଲ ବଙ୍ଗାଳୀ ଲୋକଗୀତ ‘ବଡ଼ଲୋକେର ବେଟିଲୋ’ ସହ ମିଶିଯାଉଛି। ଏହି ଓରିଜିନାଲ ଲୋକଗୀତର ଲେଖକ ରତନ କହର ତାଙ୍କୁ ଶ୍ରେୟ ଦେଇ ନ ଥିବା ଅଭିଯୋଗ କରିଛନ୍ତି, ଯାହା କି ସିଧାସଳଖ କପିରାଇଟ୍‌ ଆକ୍ଟର ଊଲ୍ଲଂଘନ କରୁଛି। ଫ୍ରାନ୍ସର ଡକ୍ଟରାଲ ଗବେଷକ ଅର୍ଗିଆ ବୋଷ୍‌ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି। ସେ ଲେଖକ ରତନ କହରଙ୍କୁ ତାଙ୍କ ଚିଠିରେ ସମର୍ଥନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଏହି ଡ୍ୟାନ୍ସ ନମ୍ବରଟି ବେଶ୍‌ ହିଟ୍‌ ହୋଇଛି। ଏହି ଗୀତକୁ ବାଦ୍‌ଶାହଙ୍କ ସହ ପାୟଲ ଦେବ ଗାଇଛନ୍ତି। ଗୀତଟି ବେଶ୍‌ ପସନ୍ଦ ଆସୁଛି ଲୋକଙ୍କୁ। ଏହି ଗୀତରେ ଜାକ୍‌ଲିନ ବଙ୍ଗୀୟ ଲୁକ୍‌ସରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Share