ବିବାଦରେ ଧୋନୀଙ୍କ ରନ୍‌ଆଉଟ୍‌

ନୂଆଦିଲ୍ଲୀ, ୧୧।୭- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ ମ୍ୟାଚ୍‌ ପରେ ଏକ ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଆଲୋଚନା ହେଉଛି। ଧୋନୀ ଯେଉଁ ବଲରେ ଆଉଟ୍‌ ହୋଇଥିଲେ ତାହା ଏକ ନୋ’ ବଲ ଥିଲା। ଲୋକି ଫର୍ଗୁଶନଙ୍କ ଏହି ବଲକୁ ଯେତେବେଳେ ଧୋନୀ ସାମ୍ନା କରିବାକୁ ଯାଉଥିଲେ ସେତେବେଳେ ଟିଭି ସ୍କ୍ରିନରେ ନ୍ୟୁଜିଲାଣ୍ଡ ଫିଲ୍ଡ ସେଟିଂର ଏକ ଗ୍ରାଫିକ୍ସ ଦେଖାଯାଇଥିଲା। ଯେଉଁଥିରେ ୬ ଜଣ କିଓ୍ବି ଖେଳାଳି ୩୦ ଗଜ ସର୍କଲ ବାହାରେ ରହିଥିବା ସ୍ପଷ୍ଟ ଭାବେ ଏହି ଗ୍ରାଫିକ୍ସରୁ ଜଣାପଡ଼ୁଥିଲା। କିନ୍ତୁ ଫିଲ୍ଡ ଅମ୍ପାୟର ଏହି ତ୍ରୁଟିକୁ ଧରିବାରେ ବିଫଳ ହୋଇଥିଲେ। କ୍ରିକେଟ୍‌ ନିୟମ ଅନୁଯାୟୀ ୩୦ ଗଜ ବାହାରେ କେବଳ ୫ ଜଣ ଫିଲ୍ଡରଙ୍କୁ ରହିବାର ଅନୁମତି ରହିଛି। ଯଦି ଏହାଠାରୁ ଅଧିକ ଫିଲ୍ଡର ରୁହନ୍ତି ତାହାଲେ ନୋ’ ବଲ ହୋଇଥାଏ। ଧୋନୀଙ୍କ କ୍ଷେତ୍ରରେ ଏହା ନୋ’ ବଲ ହୋଇଥିଲେ ମଧ୍ୟ ନିୟମ ଅନୁଯାୟୀ ସେ ରନ୍‌ଆଉଟ୍‌ ହୋଇଥାନ୍ତେ। କିନ୍ତୁ ଭାରତକୁ ଏକ ଅତିରିକ୍ତ ରନ୍‌ ମିଳିଥାନ୍ତା ଏବଂ ଏହାପରବର୍ତ୍ତୀ ବଲ୍‌କୁ ‘ଫ୍ର ହିଟ୍‌’ ଘୋଷଣା କରାଯାଇଥାନ୍ତା। ଯାହାର ଫାଇଦା ଭାରତ ଉଠାଇବାରୁ ବଞ୍ଚତ୍ତ ହୋଇଛି।

Share