Categories: ଖେଳ

ବିବାଦରେ ପାକିସ୍ତାନ କ୍ରିକେଟର୍‌ ଶାଦବ

ଦୁବାଇ, ୧୨।୨- ପାକିସ୍ତାନ ସୀମିତ ଓଭର କ୍ରିକେଟ ଦଳର ପ୍ରମୁଖ ଖେଳାଳି ଶାଦବ୍‌ ଖାନ୍‌ ବିବାଦ ଘେରକୁ ଚାଲି ଆସିଛନ୍ତି। ଜଣେ ମହିଳାଙ୍କୁ ବ୍ଲାକମେଲ୍‌ କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରଲ୍‌ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ଶାଦବଙ୍କ ନାମରେ ଆସିଛି। ଶାଦବଙ୍କ ନାମରେ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଉଛନ୍ତି ଦୁବାଇର ଅର୍ଶିନା ସାଫିଆ। ଏହି ଅଭିଯୋଗ ମହିଳା ଜଣଙ୍କ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଆଣିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ ମାର୍ଚ୍ଚରେ ଉଭୟ ପରସ୍ପରକୁ ଭେଟିଥିଲେ। ଏହାପରେ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ୨୧ ବର୍ଷୀୟ ଅଲ୍‌ରାଉଣ୍ଡର ଶାଦବଙ୍କ ସହ ବିଭିନ୍ନ ଦେଶରେ ଅନୁଷ୍ଠିତ ଟି୨୦ ଲିଗ୍‌ ଦେଖିବାକୁ ଯାଇଥିବା ସାଫିଆ ଦାବି କରିଛନ୍ତି। କିନ୍ତୁ ଯେତେବେଳେ ଜଣେ ପାକିସ୍ତାନ ଖବରଦାତା ଉଭୟ ଏକାଠି ବୁଲୁଥିବାର ଏକ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ ସେବେଠାରୁ ଶାଦବ୍‌ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି। ସାଫିଆଙ୍କ କହିବା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ବାହାରେ ପ୍ରକାଶ ନ କରିବା ସହ ସେ କେବଳ ତାଙ୍କ ଫ୍ୟାନ୍‌ ଥିଲେ ବୋଲି ବାହାରେ କହିବାକୁ କହିଥିଲେ। ନଚେତ୍‌ ମୋର ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଦେବାକୁ ଧମକ ଶାଦବ ଧମକ ଦେଇଥିଲେ ବୋଲି ସାଫିଆ ନିଜ ଇନ୍‌ଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି। ତେବେ ଶାଦବ ଖାନ୍‌ କିଛି ପ୍ରତିକ୍ରିୟା ରଖି ନ ଥିବାବେଳେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏହାକୁ ନେଇ କ’ଣ ପଦକ୍ଷେପ ନେଉଛି ତାହାକୁ ଆଗାମୀ ଦିନରେ ଜଣାପଡ଼ିବ।

Share