Categories: ଜାତୀୟ

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା ପରେ କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟ ନ ଥିଲା ବୋଲି ସିପିଏମ୍‌ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ ଶୁକ୍ରବାର ସ୍ପଷ୍ଟୀକରଣ ଦିଆଯାଇଛି। ମକର ସଂକ୍ରାନ୍ତି ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ ହୋଇଥିବାବେଳେ ସେଦିନ ଦେଶର ବିଭିନ୍ନ ଭାଗରେ ପୋଙ୍ଗଲ, ବିହୁ ଓ ଲୋହରି ପର୍ବ ପାଳିତ ହୋଇଥାଏ। ଏଭଳି ଏକ ପବିତ୍ର ଦିନରେ କେରଳ ପର୍ଯ୍ୟଟନ ବିଭାଗ ଓ୍ବେବସାଇଟରେ ଗୋମାଂସ ବ୍ୟଞ୍ଜନକୁ ନେଇ ଟୁଇଟ୍‌ କରାଯିବା ଘଟଣାରେ ଅନେକ ଟୁଇଟର୍‌ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଟୁଇଟ୍‌ କରି ସରକାର ହିନ୍ଦୁମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ବୋଲି ଭାଜପା ଏମ୍‌ପି ଶୋଭା କରଣ୍ଡଲାଜେ କହିଛନ୍ତି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କଡକମ୍ପାଲି ସୁରେନ୍ଦ୍ରନ କହିଛନ୍ତି, ଖାଦ୍ୟ ସହ କୌଣସି ଧର୍ମର ସମ୍ପର୍କ ନାହିଁି। ଏହାକୁ ଅଯଥା ସାମ୍ପ୍ରଦାୟିକ ରଙ୍ଗ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଛନ୍ତି।

Share