ବିବାଦୀୟ ଜମିକୁ ନେଇ ଗଣ୍ଡଗୋଳ, ଜମି ମାଲିକଙ୍କ ପୁଅ ଆହତ

ଆନନ୍ଦପୁର,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ମୌଜା ବିରିଡିହା ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ପୁଣି ବିବାଦ ଦେଖାଦେଇଛି। ଜମି ମାଲିକ ସୁଦର୍ଶନ ସାହୁଙ୍କ ଅଭିଯୋଗ କ୍ରମେ ଚଳିତ ମାସ ୬ ତାରିଖରେ କଣ୍ଟିିପାଳ ମୌଜା ଖାତା ନଂ ୮୩୯/୫୧୨, ପ୍ଲଟ ନଂ ୧୯୨୪/୫୯୭୬, ୧୯୨୪/୫୮୫୮ରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହି ଜମିକୁ ବିରୋଧୀ ଗୋଷ୍ଠୀ ଏବଂ ସେମାନଙ୍କର ସମର୍ଥକମାନଙ୍କ ପାଇଁ ପ୍ରବେଶ ନିଷେଧ କରାଯିବା ସହିତ ସଂପୃକ୍ତ ଜମିରେ ନାଲି ପତାକା ମରାଯାଇଥିଲା। ଶୁକ୍ରବାର ସୁଦର୍ଶନଙ୍କ ପୁଅ ପ୍ରଶାନ୍ତ ସାହୁ ରାସ୍ତା ଉପରେ ଛିଡ଼ା ହୋଇଥିବା ସମୟରେ ସେମାନଙ୍କ ବିରୋଧୀ ଗୋଷ୍ଠୀ ଜମିଜମା ଘଟଣାକୁ ନେଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାନ୍ତଙ୍କ ବଡ଼ ଭାଇ ସୁଶାନ୍ତ ଏବଂ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମଧ୍ୟ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଗଣ୍ଡଗୋଳରେ ସୁଦର୍ଶନଙ୍କ ପୁଅ ପ୍ରଶାନ୍ତ ଓ ସୁଶାନ୍ତ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ସହିତ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେସ ନଂ ୧୪୮/୧୯ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତ ଚଳାଉଥିବାବେଳେ ଗଣ୍ଡଗୋଳ ଘଟାଇଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଏହି ଜମିକୁ କେନ୍ଦ୍ର କରି ସୁଦର୍ଶନଙ୍କ ପରିବାର ଓ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ଅଭିଯୋଗ ହୋଇଥିଲା। ଆନନ୍ଦପୁର ଥାନାରେ କେସ ନଂ ୯୨/୧୮ରେ ଏକ ମାମଲା ଦାୟର ହୋଇଥିଲା। ପରେ ଏହି ବିବାଦୀୟ ଜାଗାକୁ ଆନନ୍ଦପୁର ତହସିଲ ପକ୍ଷରୁ ମାପଚୁପ କରାଯାଇ ସୁଦର୍ଶନଙ୍କ ଜମି ବୋଲି ଚିହ୍ନଟ କରାଯାଇଥିଲା। ଏହା ସତ୍ତ୍ୱେ ସ୍ଥାନୀୟ ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ଏବଂ ସେମାନଙ୍କର ସମର୍ଥକ ନିଜର ଜାଗା ବୋଲି ଦାବି କରି ବିରୋଧ କରିବା ସହିତ ସୁଦର୍ଶନଙ୍କୁ ଭୋଗ ଦଖଲ କରାଇ ଦେଉ ନ ଥିବା ଅଭିଯୋଗ ହୋଇଆସୁଛି।