ଅନୁଗୋଳ ଅଫିସ୍, ୧୯।୩: ଅନୁଗୋଳ ବସ୍ଷ୍ଟାଣ୍ଡ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ବିବାଦୀୟ ସ୍ଥାନରେ ଦୋକାନ ଖୋଲିବାକୁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେହି ସ୍ଥାନରେ ଏକ ଦୋକାନ ଖୋଲିବାକୁ ନେଇ ବିବାଦ ଦେଖାଯିବା ସହ ଆନ୍ଦୋଳନ ପରିସ୍ଥିତି ଉପୁଜିଥିଲା। ତାହାକୁ ସ୍ଥାନାନ୍ତର କରାଯିବା ପରେ ଏବେ କିପରି ଆଉ ଏକ ଦୋକାନକୁ ସେଠାରେ ଅନୁମତି ପ୍ରଦାନ କରାଯାଇଛି ସେ ନେଇ ଓକିଲ ସଂଘର ସଭାପତି ଜିତେନ୍ଦ୍ର ସାହୁ ପ୍ରଶ୍ନ କରିଛନ୍ତି। ସେହି ସ୍ଥାନରେ ପୂର୍ବରୁ ଏକ ଓମ୍ଫେଡ ପାର୍ଲର ଖୋଲାଯାଇଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମୁଥିଲା। ଫଳରେ ଯାତାୟାତରେ ଅସୁବିଧା ଉପୁଜିଥିଲା। ଏହାକୁ ସ୍ଥାନାନ୍ତର ଦାବିରେ ଆନ୍ଦୋଳନ ହେବା ପରେ ପୌରପାଳିକା ସେଠାରୁ ଦୋକାନ ଉଚ୍ଛେଦ କରିଥିଲା। ହେଲେ ଏବେ ପୁଣି ସେହି ସ୍ଥାନରେ ଲସି ଦୋକାନ ହେବାକୁ ଥିବାରୁ ପୂର୍ବପରି ଅବସ୍ଥା ସୃଷ୍ଟି ସହ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ତେଣୁ ସେଠାରୁ ଦୋକାନ ସ୍ଥାନାନ୍ତର କରାଯିବାକୁ ଓକିଲ ସଂଘ ସଭାପତି ସାହୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ପୁନଃ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଉକ୍ତ ସ୍ଥାନରେ ଲୋକମାନେ ଅଳିଆ ଗଦା କରୁଥିବାରୁ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସେଠାରେ ସର୍ବସାଧାରଣଙ୍କ ନିମନ୍ତେ ଏକ ପରିସ୍ରାଗାର ଖୋଲାଯିବ। ଏନେଇ ବୁଧବାର ଟେଣ୍ଡର ଖୋଲାଯାଇଛି। କାର୍ଯ୍ୟ ଆରମ୍ଭ ବେହାର ୧୫ ଦିନ ମଧ୍ୟରେ ଦୋକାନ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି।