ବିବାଦ ପାଇଁ ନଳକୂପରେ କିରୋସିନ ଢାଳିଲେ ଦୁର୍ବୃତ୍ତ

ଚାନ୍ଦବାଲି,୨୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ନିଆରିସାହିର ଏକ ନଳକୂପରେ କେହି ଦୁର୍ବୃତ୍ତ କିରୋସିନ ଓ ସିମେଣ୍ଟ ଭରି ଦେଇଥିବାର ଅଭିଯୋଗ ହୋଇଛି। ଫଳରେ ଏହା ବ୍ୟବହାର ଅନୁପଯୋଗୀ ହୋଇଛି। ଏନେଇ ଗାଁର କେତେକ ମହିଳା ଓ ପୁରୁଷ ମତୋ ଫାଣ୍ଡିରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ପରଖିଛନ୍ତି।
ସୂଚନା ଅନୁସାରେ, ଏହି ନଳକୂପ ଉପରେ ଗାଁର ୨୦ରୁ ଅଧିକ ପରିବାର ନିର୍ଭର କରନ୍ତି। ତେବେ ନଳକୂପରୁ ବଳକା ପାଣି ଯାଇ ପାଖ ନାଳରେ ମିଶିଥାଏ। ଭଦ୍ରକ-ଚାନ୍ଦବାଲି ରାସ୍ତା ସମ୍ପ୍ରସାରଣ ହେବା ପରେ ରାସ୍ତାର ଉଚ୍ଚତା ବଢ଼ିଛି। ଫଳରେ ଏଠାରୁ ପାଣି ନିଷ୍କାସନରେ ସମସ୍ୟା ହୋଇଛି। ବିଗତ ୨ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲାପାଳ, ଅତିରିକ୍ତ ଜିଲାପାଳ, ବିଡିଓ ଓ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ନଳକୂପର ଚତୁଃପାର୍ଶ୍ୱରେ ମଇଳା ପାଣି ଜମି ପରିବେଶକୁ ପ୍ରଦୂଷିତ କରୁଛି। ଜଳ ନିଷ୍କାସନକୁ ନେଇ ଉପୁଜିଥିବା ବିବାଦ କାରଣରୁ ଶନିବାର ବିଳମ୍ବିତ ରାତିରେ କେହି ନଳକୂପର କେତେକ ଅଂଶକୁ ଖୋଲି ଏହା ମଧ୍ୟରେ କିରୋସିନ ଓ ସିମେଣ୍ଟ ପକାଇଥିବା ମତୋ ଫାଣ୍ଡି ଅଧିକାରୀ ବବୃବାହନ ନାୟକ ସୂଚନା ଦେଇଛନ୍ତି। ଏନେଇ ଫାଣ୍ଡି ପକ୍ଷରୁ ତଦନ୍ତ ହେବା ସହିତ ନଳକୂପ ସଫା କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି।