ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି

ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ ଛକରେ ଠିଆ ହୋଇ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ, ଜୟପୁର ରାଜାପାର୍କରେ ରହୁଥିବା ପବନୀତ ଓ ରତନଜୀତଙ୍କ ରବିବାର ବିବାହ ହୋଇଥିଲା। ବାହାଘରର ପର ଦିନ ନବ ଦମ୍ପତ୍ତି ଲୋକଙ୍କୁ ଟ୍ରାଫିକ୍‌ ସଚେତନତା କରିବାକୁ ଇଛା ପ୍ରକାଶ କରିଥିଲେ। ଏଥିପାଇଁ ଦୁହେଁ ରାସ୍ତା ଉପରେ ଠିଆ ହୋଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପବନୀତ ଓ ରତନଜୀତ ଛିଡା ହୋଇ ଲୋକଙ୍କୁ ସଡ଼କ ନିୟମ ପାଳନ କରିବାକୁ ପରାମର୍ଶ ଦେବା ସହ ହେଲମେଟ ନ ପିନ୍ଧିଥିବା ଓ ଅଧିକ ବ୍ୟକ୍ତିଙ୍କୁ ଗାଡିରେ ବସାଇଥିବା ଲୋକଙ୍କୁ ସେ ସଚେତନ କରିଥିଲେ। ଏଥିସହ ଅଟୋ ଡ୍ରାଇଭରଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କହିଥିଲେ। ତେବେ ଦମ୍ପତ୍ତିଙ୍କ ଏଭଳି କରିବା ପଛରେ ମଧ୍ୟ କାରଣ ରହିଛି। ପବନୀତ ବିବାହ ପୂର୍ବରୁ ଟ୍ରାଫିକ୍‌ ପୋଲିସରେ ଭର୍ତ୍ତି ହେବାକୁ ଇଛା ପ୍ରକାଶ କରିଥିଲେ। ହେଲେ କୌଣସି କାରଣରୁ ତାଙ୍କର ଇଛା ପୂରା ହୋଇପାରି ନ ଥିଲା। ତେଣୁ ଏହି ଅବସରରରେ ସ୍ତ୍ରୀଙ୍କ ଇଛାକୁ ପୂରଣ କରିଛନ୍ତି ବୋଲି ସ୍ବାମୀ ରତନଜୀତ କହିଛନ୍ତି। ଏହାଦ୍ୱାରା ସେ ସମାଜକୁ ଭଲ ବାର୍ତ୍ତା ଦେବାକୁ ଚାହୁଁଛନ୍ତି।

Share