Categories: ଫୁରସତ

ବରକନ୍ୟାଙ୍କୁ ଉପହାର ମିଳିଲା ୫ ହାର୍ଟ, ୩୦ କିଡ୍‌ନୀ, ୧୪୦ ଚକ୍ଷୁ

ରାଜସ୍ଥାନ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅନେକ ଉପହାର ମିଳିଥାଏ। ଅଳଙ୍କାରଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ। ମାତ୍ର ଏକ ବିବାହ ଉତ୍ସବରେ ଉପହାର ସ୍ବରୂପ ବରକନ୍ୟାଙ୍କୁ ୫ଟି ହାର୍ଟ, ୩୦ କିଡ୍‌ନୀ ଏବଂ ୧୪୦ ଚକ୍ଷୁ ମିଳିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଖିବାକୁ ମିଳିଛି ରାଜସ୍ଥାନର ଏକ ବିବାହ ଉତ୍ସବରେ।

ବିଗତ ୮ ବର୍ଷ ଧରି ଏଠାକାର ଏକ ସଂସ୍ଥା ଚକ୍ଷୁଦାନ, ଅଙ୍ଗଦାନ ଏବଂ ହୃଦୟ ଦାନ ପାଇଁ କାର୍ଯ୍ୟ କରିଆସୁଛି। ଏହି ସଂସ୍ଥା ସହିତ ଜଡ଼ିତ ଟିଙ୍କୁ ଓଝା ନାମକ ଜଣେ ଯୁବକଙ୍କ ବିବାହ ରାଜସ୍ଥାନର ମୁଣ୍ଡିୟର ଗ୍ରାମରେ ସମ୍ପନ୍ନ ହୋଇଛି। ବିବାହ ପୂର୍ବରୁ ସମସ୍ତ ଅତିଥିଙ୍କୁ କାର୍ଡ ଯୋଗେ ନିମନ୍ତ୍ରଣ ପଠାଯାଇଥିଲା। ଆଉ ଏଥିରେ ଲେଖାଥିଲା, ଯଦି ଆପଣ ବରକନ୍ୟାଙ୍କୁ କୌଣସି ଉପହାର ଦେବାକୁ ଚାହୁଁଥାନ୍ତି ତେବେ ଚକ୍ଷୁ, କିଡ୍‌ନୀ ଏବଂ ହାର୍ଟ ଦାନ କରିବେ। କିଛି ଲୋକ ଏହି କାର୍ଡ ପାଇବା ପରେ ବିବାହ ଉତ୍ସବରେ ଯୋଗ ଦେବାକୁ ମନା କରିଦେଇଥିଲେ। ମାତ୍ର ଆଉ କିଛି ଅତିଥି ଆସିବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଏକ ଫର୍ମ ପୂରଣ କରିବାକୁ ସର୍ତ୍ତ ଥିଲା। ଏହି ସର୍ତ୍ତ ଅନୁଯାୟୀ ଯେଉଁମାନେ ଭୋଜିରେ ଯୋଗଦେବେ ସେମାନେ ଫର୍ମ ପୂରଣ କରି ପଠାଇଥିଲେ।

ଏହା ପରେ ସାଇନ୍‌ ଇଣ୍ଡିଆ ଫାଉଣ୍ଡେଶନର ୫ ଜଣ ସଦସ୍ୟ ବିବାହ ଭୋଜିର ଗୋଟଏ ଦିନ ପୂର୍ବରୁ ମୁଣ୍ଡିୟର ଗାଁରେ ପହଞ୍ଚିଥିଲେ। ଏଠାକାର ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ଅଙ୍ଗଦାନ, ଚକ୍ଷୁଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକ କିଡ୍‌ନୀ, ୧୧୦ରୁ ଅଧିକ ଲୋକ ଚକ୍ଷୁ ଏବଂ ୫ ଜଣ ହାର୍ଟ ଦାନ କରିବାକୁ ରାଜି ହୋଇଥିଲେ। ବର ଟିଙ୍କୁ ଏବଂ କନ୍ୟା ତୃପ୍ତିଙ୍କ ବିବାହ ୨୦୦୦ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଏଥିରେ ବରକନ୍ୟା ମଧ୍ୟ ଅଙ୍ଗଦାନ ପାଇଁ ସଂକଳ୍ପ ପତ୍ର ପୂରଣ କରିଥିଲେ।

Share