ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା: ଯୁବତୀ ୮ ମାସର ଗର୍ଭବତୀ, ଅଭିଯୁକ୍ତ ପ୍ରେମିକ ଗିରଫ

ପାଟଣା,୨୦।୯(ସ୍ବ.ପ୍ର.): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ପୋଲିସ ଜନୈକ ବିବାହିତ ଅଭିଯୁକ୍ତ ପ୍ରେମିକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଯୁବକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା କୁଚେଇକୁଦ ଗ୍ରାମର ବଡ଼ସାଖିଲା ମାଝିଙ୍କ ପୁଅ ପଞ୍ଚୁ ହେମ୍ରମ୍‌(୨୪)।
ସୂଚନା ଅନୁଯାୟୀ, ସାହାରପଡ଼ା ବ୍ଲକ ଅଞ୍ଚଳର ଜଣେ କଲେଜ ପଢ଼ୁଆ ଯୁବତୀଙ୍କୁ ପଞ୍ଚୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଯୁବତୀ ଜଣକ ୮ମାସର ଗର୍ଭବତୀ ହୋଇଥିଲେ। ଏ ନେଇ ଯୁବତୀଙ୍କ ମା’ ପାଟଣା ଥାନାରେ ଗୁରୁବାର ଅଭିଯୋଗ କରିଥିଲେ। ଶୁକ୍ରବାର ପୋଲିସ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୁବତୀଙ୍କ ଡାକ୍ତରୀ ମାଇନା କରିବାପରେ ଅଭିଯୁକ୍ତ ପଞ୍ଚୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।