ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ ଚାକିରି ପାଇବାର କିଛିଦନ ପରେ ସେ ଏହି ଖୁସି ଖବର ଘର ଲୋକଙ୍କୁ ଜଣାଇଥିଲେ। ମାତ୍ର ୨୧ ବର୍ଷ ବୟସରେ ସେ ସେନାରେ ଯୋଗ ଦେଇଥିଲେ। ଏହାପରେ ସବୁଠିକ୍‌ ଠାକ୍‌ ଚାଲିଥିଲା। ବିଜୟ ୨୫ ବର୍ଷ ବୟସରେ ବିବାହ କଲେ। ବିବାହ ପାଇଁ ୨ ମାସର ଛୁଟି ଆଣିଥିବା ବେଳେ କିନ୍ତୁ ବାହାଘରର ଠିକ୍‌ ୧୦ ଦିନ ପରେ ତାଙ୍କୁ ଡାକରା ଆସିଥିଲା। ସବୁକୁ ପଛକୁ ପକାଇ ସେ ବାହାରି ଯାଇଥିଲେ ମାଟି ମା’କୁ ସୂରକ୍ଷା ଦେବାକୁ। କାରଗିଲ ଯୁଦ୍ଧରେ ଯୋଗ ଦେଇଥିଲେ ବିଜୟ। ହେଲେ ଶତ୍ରୁ ପକ୍ଷର ଆକ୍ରମଣରେ ଶହୀଦ ହେଲେ ଏହି ବୀର ଯବାନ। ଘରକୁ କଫିନରେ ଫେରିଲା ଶହୀଦ ପୁଅଙ୍କ ମର ଶରୀର। ନବବଧୂଙ୍କ ପାଦରୁ ଅଳତା ଲିଭି ନ ଥିବା ବେଳେ ମା’ ଆଖିରେ ନାଚି ଯାଉଥିଲା ପୁଅର ବର ବେଶ। ହେଲେ କଫିନରେ ଚିରନିଦ୍ରାରେ ଶୋଇ ଯାଇଥିବା ପୁଅକୁ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ ମା’ ରାମଚନ୍ଦ୍ରି ଦେବୀ। ସେପଟେ ମାଟି ମା’ ପାଇଁ ଜୀବନ ଦେଇଥିବାରୁ ଜନ୍ମଦାତ୍ରୀ ମା’ଙ୍କ ଛାତି ଗର୍ବରେ ଫାଟି ପଡୁଥିଲା। ଏବେ କିନ୍ତୁ ଦୀର୍ଘ ୨୦ ବର୍ଷ ପରେ ବି ମା’ ରାମଚନ୍ଦ୍ରୀଙ୍କ ଆଖିରୁ ଲୁହ ଶୁଖିନି। ସେନାରେ ଥିବା ସ୍ବାମୀଙ୍କୁ ହରାଇବା ପରେ ଏକମାତ୍ର ପୁଅକୁ ବି ହରାଇଛନ୍ତି ରାମଚନ୍ଦ୍ରୀ। ୩ ଝିଅଙ୍କ ବିବାହ ପରେ ଏବେ ଏକାକୀ ସମୟ କାଟୁଛନ୍ତି। ପୁଅଙ୍କ ପେନଶନ୍‌ ଟଙ୍କାରୁ ମାତ୍ର ୨୦ ପ୍ରତିଶତ ତାଙ୍କୁ ମିଳୁଥିବା ବେଳେ ବାକିଟଙ୍କା ବୋହୂଙ୍କ ହାତକୁ ଯାଉଛି। ହେଲେ ଏବେ ବୋହୂଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ ଓ ପୁଅଙ୍କୁ ମନେପକାଇ ଦିନ କାଟୁଛନ୍ତି ରାମଚନ୍ଦ୍ରୀ।

Share