ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି

ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ। ବର୍ଷକ ମଧ୍ୟରେ ୬୨୯ ପାକିସ୍ତାନୀ ଯୁବତୀ ଓ ମହିଳାଙ୍କୁ ବିବାହ ପାଇଁ ଚାଇନାର ପୁରୁଷମାନେ କିଣିନେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦୁଇ ବନ୍ଧୁରାଷ୍ଟ୍ର ମଧ୍ୟରେ ଚାଲିଥିବା ମାନବ ଚାଲାଣକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା।
ସୂଚନାନୁସାରେ ୨୦୧୮ରୁ ଅଦ୍ୟାବଧି ୬୨୯ ପାକିସ୍ତାନୀ ଯୁବତୀଙ୍କୁ ବିକ୍ରି କରିଦିଆଯାଇଛି। ମାନବ ଚାଲାଣ ନେଇ ଯାଞ୍ଚ କରୁଥିବା ଖୋଦ୍‌ ପାକିସ୍ତାନୀ ତଦନ୍ତକାରୀ ଅଧିକାରୀମାନେ ଏହି ବିଷୟ ସ୍ପଷ୍ଟ କରିବା ସହ ବିକ୍ରି ହୋଇଥିବା ମହିଳାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ କରିଛନ୍ତି। ବେଜିଂ ସହ ପାକିସ୍ତାନର ମଧୁର ସମ୍ପର୍କ ଖରାପ ହେବା ଭୟରେ ତଦନ୍ତକାରୀମାନେ ଏହାକୁ ରୋକିପାରି ନ ଥିବା କହିଛନ୍ତି। ଏଥିପାଇଁ ସୋମନଙ୍କ ଉପରେ ସରକାରୀ ଚାପ ମଧ୍ୟ ପକାଯାଉଛି। ଚାଲାଣକାରୀଙ୍କ ବିରୋଧରେ ସବୁଠୁ ବଡ଼ ମାମଲା ରଦ୍ଦ ହୋଇଯାଇଥିଲା ଅକ୍ଟୋବରରେ। ଫୈସଲାବାଦର ଏକ କୋର୍ଟ ୩୧ ଜଣ ଚାଇନା ନାଗରିକଙ୍କୁ ମାନବ ଚାଲାଣ ମାମଲାରେ ନିର୍ଦ୍ଦୋଷ ଦର୍ଶାଇ ମୁକ୍ତ କରିଥିଲା। ପୋଲିସର ପଚରାଉଚରା ବେଳେ ଅନେକ ମହିଳା ଚାଲାଣ ହୋଇଯାଉଥିବା ବିଷୟ ଅସ୍ବୀକାର କରିଥିଲେ। କାରଣ ମୁହଁ ନ ଖୋଲିବା ପାଇଁ ସେମାନଙ୍କୁ ଧମକ ସହ ଲାଞ୍ଚ ଦିଆଯାଇଥିଲା। ସେହିପରି ଉକ୍ତ ମାମଲାରେ ଅଧିକ ତଦନ୍ତ ନ କରିବା ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ତଦନ୍ତ କରୁଥିବା ଫେଡେରାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି (ଏଫ୍‌ଆଇଏ)ର କେତେଜଣ ଅଧିକାରୀଙ୍କୁ ବଦଳି ମଧ୍ୟ କରାଯାଇଥିଲା। ଚାଇନା ଓ ପାକିସ୍ତାନୀ ଦଲାଲମାନେ ପୁଅଘରୁ ୪୦ ଲକ୍ଷରୁ ୧ କୋଟି ଟଙ୍କା ନେଉଥିବାବେଳେ ଝିଅ ଘରକୁ ମାତ୍ର ୨ ଲକ୍ଷ ଟଙ୍କା ଦେଇଥାନ୍ତି ବୋଲି ନାମ ଗୋପନ ସର୍ତ୍ତରେ ଜଣେ ଅଧିକାରୀ ପ୍ରଘଟ କରିଛନ୍ତି। ଅନ୍ୟପକ୍ଷରେ ଇସ୍‌ଲାମାବାଦ ଓ ବେଜିଂ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦୁଇଦେଶର ନାଗରିକଙ୍କୁ ନେଇ ଖୁସି ପରିବାର ଗଢ଼ିବା ପାଇଁ ଏପରି କରାଯାଉଥିବା ପାକିସ୍ତାନ ଓ ଚାଇନା ସରକାରଙ୍କ ପକ୍ଷରୁ କୁହାଯାଇଛି।

Share