ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ିଥିଲେ ଏହି ଅଭିନେତ୍ରୀ

୫୦-୬୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଅଭିନେତ୍ରୀ ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ି ଦେଇଥିଲେ। ସେ ଆଉ ନାହାନ୍ତି ସତ, ମାତ୍ର ଆଜି ଅର୍ଥାତ୍‌ ବୁଧବାର ତାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କୁ ହଜାର ହଜାର ଦର୍ଶକ ଝୁରି ହେଉଛନ୍ତି।

ସେ ଆଉ କେହି ନୁହନ୍ତି, ଫିଲ୍ମ ‘ଆର୍‌ ପାର’ର ଗୀତ ବାବୁଜୀ ଜରା ଧୀରେ ଚଲୋରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଶକିଲା। ତାଙ୍କ ଘର ଆଫଗାନିସ୍ତାନ। ସେ ଇରାନ୍‌ରେ ବଢ଼ିଥିଲେ। ପରେ ତାଙ୍କର ପିଉସୀଙ୍କ ପ୍ରେରଣାରେ ଫିଲ୍ମ ଦୁନିଆକୁ ଆସିଥିଲେ। ୧୯୫୦ରେ ପ୍ରଦର୍ଶିତ ଫିଲ୍ମ ‘ଦାସ୍ତାନ୍‌’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୧୯୫୩ ମସିହାରେ ‘ମଦ୍‌ମସ୍ତ’ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। କହିରଖୁଛୁ ଫିଲ୍ମ ‘ଆଲି ବାବା ଚାଲିଶ ଚୋର’ ପରେ ତାଙ୍କ ନିକଟକୁ ଅଫର ପରେ ଅଫର ଛୁଟିଥିଲା। ୧୪ ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଥାପିଥିବା ଶକିଲା ୭୨ଟି ଫିଲ୍ମରେ ଅଭିନୟ କରିଛନ୍ତି। ୧୯୬୩ରେ ବିବାହ ପରେ ସ୍ବାମୀଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା ଚାଲିଗଲେ। ତେବେ ୨୦୧୭ ସେପ୍ଟେମ୍ବର ୨୦ରେ ତାଙ୍କର ପରଲୋକ ଘଟିଥିଲା।

Share