Categories: ଜାତୀୟ

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ମୁରଦାବାଦ ଜିଲାର କୁଆଣ୍ଢଲି ଗାଁର ବର ଦୁଷ୍ୟନ୍ତ ଗିରି ବରେଲି ଜିଲାର କୁତକାପୁରର କନ୍ୟାଙ୍କୁ ସୋମବାର ବିବାହ କରିଥିଲେ। ବିବାହ ପରେ ପରେ ବରଯାତ୍ରୀ ସହ ନବଦମ୍ପତି ଘରକୁ ଫେରୁଥିଲେ। ମୁରଦାବାଦର ପାକଓ୍ବଡ଼ା ଥାନା ଅଞ୍ଚଳ ହାଇଓ୍ବେ ନିକଟ ଏକ ଢାବାରେ ସେମାନେ ଚା’ଜଳଖିଆ ଖାଇବାକୁ ଓହ୍ଲାଇଥିଲେ। ସେତିକିବେଳେ ଦୁଷ୍ୟନ୍ତ ଶୌଚାଳୟ ଯାଇ ଆଉ ଫେରି ନ ଥିଲେ। ରାତିସାରା ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ବି ପାଇ ନ ଥିଲେ। ମଙ୍ଗଳବାର ହାଇଓ୍ବେଠାରୁ ପ୍ରାୟ ୨ କିଲୋମିଟର ଦୂର ଘଞ୍ଚ ଜଙ୍ଗଲରେ ଥିବା ଏକ ଗଛରେ ଦୁଷ୍ୟନ୍ତଙ୍କ ମୃତଦେହ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଚଳାଇଛି।

Share