ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ କରାଯିବ ା ଏଥିପାଇଁ ଗ୍ରାମ୍ୟ ସ୍ତରରେ ଏଏନଏମ୍‌, ଅଙ୍ଗନୱାଡି କର୍ମୀ ଓ ପ୍ରାଥମିକ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ନେଇ ଏକ କମିଟି ଗଠନ କରାଯିବ ା ଏହି କମିଟି ବରକନ୍ୟାଙ୍କ ଆଧାର କାର୍ଡରୁ ବୟସ ଯାଞ୍ଚ କରିବେ। କନ୍ୟା ବୟସ ୧୮ ଏବଂ ବର ବୟସ ୨୧ରୁ କମ୍‌ ହୋଇଥିଲେ ସଂପୃକ୍ତ ପଞ୍ଚାୟତିରାଜ ପ୍ରତିନିଧି କିମ୍ବା କୌଳିକ ସଂଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ା ଆପୋସ ବୁଝାମଣାରେ ଏହାର ସମାଧାନ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଆହୁରି କହିଥିଲେ, ଆଇନଗତ ପନ୍ଥା ଅପେକ୍ଷା ବାଲ୍ୟ ବିବାହକୁ ରୋକିବାରେ ସଚେତନତା ଓ ବିଭିନ୍ନ କୌଳିକ ସଂଗଠନର ମୁଖିଆମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ା ବିବାହ ପୂର୍ବରୁ ବରକନ୍ୟାଙ୍କ ଏଚ୍‌ଆଇଭି ପରୀକ୍ଷା ବାଧ୍ୟତାମୂଳକ କରାଯିବ ା ମମତା ଯୋଜନାରେ ବାଲ୍ୟ ବିବାହ କୁପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ା ଗଞ୍ଜାମର ଯେଉଁ କୌଳିକ ସଂଗଠନର ମୁଖିଆମାନେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥିଲେ, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାରେ ବାଲ୍ୟ ବିବାହ ୨୧ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ୨୯ ପ୍ରତିଶତ ରହିଛି। ବୈଠକରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ୟୁନିସେଫ୍‌ର ନେହା ନାଇଡୁ, ଅଳକା ଗୁପ୍ତା, ଚାଇଲ୍ଡ ଲାଇନ୍‌ର ସୁଧୀର ସାବତ, ଅରୁଣାର ଲୋକନାଥ ମିଶ୍ର, ଆକ୍ସନଏଡ୍‌ର ଦେବବ୍ରତ ପାତ୍ର ଏବଂ ସାଧବ ସମାଜ, କାଳଞ୍ଜି ସମାଜ, ଶୌଣ୍ଡିକ ସମାଜ, ବୈଶ୍ୟ ସମାଜ, ବିଶ୍ୱକର୍ମା ସମାଜ ଆଦିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା

Share