ବିବାହ ପୂର୍ବରୁ ଭାଙ୍ଗିଲା ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ନିର୍ବନ୍ଧ, କନିକାଙ୍କ ଭଳି ଇଶିତା ଛାଡ଼ିଲେ ହାତ

ମୁମ୍ବାଇ: ପୁଣି ଥରେ ଭାଙ୍ଗିଛି ପିସି ଓରଫ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ। ପ୍ରଥମେ ୨୦୧୪ ମସିହାରେ କନିକା ମାଥୁରଙ୍କ ସହ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗିଥିବା ବେଳେ ଏବେ ଇଶିତା କୁମାରଙ୍କ ସହ ସମ୍ପର୍କ ତୁଟିଛି। ପ୍ରତିଟି କ୍ଷେତ୍ରରେ ବିବାହର କିଛି ଦିନ ପୂର୍ବରୁ ଏପରି ଘଟୁଥିବାରୁ ସୋସିଆଲ ମିଡିଆରେ ଏ ନେଇ ବିଶେଷ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।
ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହର କିଛି ଦିନ ପରେ ସିଦ୍ଧାର୍ଥଙ୍କ ବିବାହ ନେଇ ସୂଚନା ମିଳିଥିଲା। ଏପରିକି ପିିସି ମଧ୍ୟ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଫଟୋ ଶେୟାର କରି ଏଥିରେ ମୋହର ମାରିଥିଲେ। ଉଭୟଙ୍କ ବିବାହ ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଇଶିତାଙ୍କ ସ୍ବାସ୍ଥ୍ୟଗତ କାରଣକୁ ନେଇ ଏହାକୁ ବାତିଲ କରାଯାଇଥିଲା। ଏବେ ଶେଷରେ ଉଭୟଙ୍କ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।
ସିର୍ଦ୍ଧାର୍ଥଙ୍କ ପ୍ରଥମ ପ୍ରେମିକା ଥିଲେ କନିକା। ଉଭୟ ସମ୍ପର୍କରେ ଅନେକ ଦିନ ରହିବା ପରେ ସିଦ୍ଧାର୍ଥ ବିବାହ ନିମନ୍ତେ ଘୋଷଣା କରିଥିଲେ। ଗୋଆରେ ଉଭୟଙ୍କର ବିବାହ ହୋଇଥାନ୍ତା। ଏହା ପୂର୍ବରୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସିଦ୍ଧାର୍ଥ ନିଜ କାମରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ଏଭଳି ହୋଇଥିବା ଜଣାପଡ଼ିଥିଲା।
ସେହିଭଳି ଏବେ ଇଶିତା ମଧ୍ୟ ଆଗକୁ ବଢ଼ିଛନ୍ତି। ସର୍ଜରି ପରେ ସେ ଏବେ ଲଣ୍ଡନରେ ଅଛନ୍ତି। ସେଠାରେ ତାଙ୍କୁ ଏକ ଚାକିରି ମିଳିଛି। ଏଣୁ ସେ କାମ କରି ଏଭଳି ପରିସ୍ଥିତି ସହ ମୁକାବିଲା କରିବା ଲାଗି ନିଶ୍ଚିତ କରିସାରିଛନ୍ତି। ଇଶିତାଙ୍କ ଭଳି ସିଦ୍ଧାର୍ଥ ମଧ୍ୟ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଆଗକୁ ବଢ଼ିଛନ୍ତି। ପିସି ଓ ସେ ଇଶିତାଙ୍କୁ ସୋସିଆଲ ମିଡିଆରୁ ଅନ୍‌ଫଲୋ କରିଛନ୍ତି।

Share