ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ

ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟାୟ ନ ମିଳିଲେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୁକ୍ତ ପ୍ରେମିକ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଘର ମହାବିରୋଡ ଫାଣ୍ଡି ଅଞ୍ଚଳରେ। ଆମ୍ବପଳାସ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ଓରଫ୍‌ ପପୁଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ସେ ୩ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଯୁବତୀ ଜଣକ ବିବାହ କରିବାକୁ କହିବାରୁ ଧରା ଛୁଅଁ। ଦେଉ ନ ଥିଲେ। ଏଥିରେ ନିରାଶ ହୋଇ ସେ ଡିସେମ୍ବର ୨୨ରେ ଆମ୍ବପଳାସ ଆସି ଯୁବକଙ୍କ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ଏଥିସହ ବୋହୂ ସ୍ବୀକୃତି ଦେବାକୁ ଅଡ଼ି ବସିଥିଲେ। ତେବେ ସନ୍ଧ୍ୟାରେ ପପୁଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିଲେ। ମୋବାଇଲ ଭାଙ୍ଗିଦେବା ସହ ଜୋରଜବରଦସ୍ତ ବାଇକ୍‌ରେ ବସାଇ ଯୁବତୀଙ୍କ ଗଁ। ମୁଣ୍ଡରେ ଛାଡ଼ି ଆସିଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଉଭୟ ପକ୍ଷଙ୍କୁ ଡକାଇ ଏହାର ସମାଧାନ କରିଥିଲା। ଯୁବକଙ୍କ ପରିବାର ଯୁବତୀଙ୍କୁ ବୋହୂ କରି ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରେ ସେମାନେ ଆଉ ଧରାଛୁଅଁ। ଦେଉନାହାନ୍ତି। ଏହାର ପ୍ରତିବାଦରେ ଯୁବତୀ ଜଣକ ଶୁକ୍ରବାର ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଘରକୁ ଫେରିବା ବଦଳରେ ଆମ୍ବପଳାସ ଯାଇ ଯୁବକଙ୍କ ଘର ବାରଣ୍ଡାରେ ବସି ରହିଛନ୍ତି। ଅନ୍ୟପଟେ ଯୁବତୀଙ୍କୁ ଦେଖି ଅଭିଯୁକ୍ତ ପ୍ରେମିକଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।
ଏ ନେଇ ଯୁବତୀ ଜଣକ କୁହନ୍ତି, ରବିବାର ଯାଏ ସେ ଅପେକ୍ଷା କରିବେ। ଯୁବକଙ୍କ ପରିବାର ଲୋକେ ନ ଆସିଲେ ତାଲା ଭାଙ୍ଗି ଘରେ ପଶିବେ। ଏଥିରେ ବ୍ୟାଘାତ ଦେଲେ ଆତ୍ମହତ୍ୟା କରିବେ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁ କୁହନ୍ତି, ଅଭିଯୋଗ ହୋଇଛି। ଅଭିଯୁକ୍ତ ପ୍ରେମିକ ଫେରାର ଅଛନ୍ତି। ଘଟଣାର ତଦନ୍ତ ଚାଲିଛି।