ବିବାହ ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ପ୍ରତାରଣା

ଦାରିଙ୍ଗବାଡ଼ି, ୨୩।୧୦(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବିପିଏମ୍‌ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା ଡାକ୍ତର ଜଣକ ଏ ନେଇ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧୦୫/୧୯ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଛି। ବାଲିଗୁଡ଼ା ଏସ୍‌ଡିପିଓ ଡି. ତ୍ରିପତି ରାୟ ପଟ୍ଟନାୟକ ମାମଲା ତଦନ୍ତ ଦାୟିତ୍ୱ ନେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କ ସହ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜାତୀୟ ସ୍ବାସ୍ଥ୍ୟ ମିଶନର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର (ବିପିଏମ୍‌)ଙ୍କ ୨୦୧୭ରୁ ପ୍ରେମ ସମ୍ପର୍କ ଥିଲା। ସେ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଏନେଇ ଦିନ ଗଡାଇ ଚାଲିଥିଲେ। ମହିଳା ଡାକ୍ତର ବିବାହ କଥା କହିବାରୁ ବିପିଏମ୍‌ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେବା ସହ, ତୁମେ ଅନୁସୂଚିତ ଜାତିର, ଆମେ ଉଚ୍ଚ ଜାତିର ଏଣୁ ବିବାହ କରିପାରିବି ନାହିଁ ବୋଲି କହିଥିଲେ। ଏପରି କି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଗତ କିଛିଦିନ ହେଲା ବିପିଏମ୍‌ ଫେରାର ହୋଇଯାଇଛନ୍ତି। ଫୋନ୍‌ରେ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ। ତେଣୁ ସେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଦେବାକୁ ଦାବି କରିଛନ୍ତି। ପୋଲିସ ସମ୍ପୃକ୍ତ ବିପିଏମ୍‌ଙ୍କୁ ଖୋଜୁଛି ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।

Share