Categories: ମେଟ୍ରୋ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି

ବ୍ରହ୍ମଗିରି, ୭ା୬(ଡି.ଏନ.ଏ): ମାନବୀୟ ରିତିନୀତି ଭଳି ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି। ଶୁଭ ଶୁଙ୍ଗ ସହ ହୁଳ ହୁଳରେ ପ୍ରକମ୍ପିତ ହେଉଥାଏ ଦେବାଳୟ। ଦେବ ଦମ୍ପତିଙ୍କ କନ୍ୟା ପିତା ଓ ବରପିତା ଗୁରୁ ଦାୟିତ୍ୱ ତୁଲାଇ ହସ୍ତଗଣ୍ଠି ପକାଇ ନିଜର କର୍ତ୍ତବ୍ୟ ସମ୍ପାଦନା କରିଥିଲେ। ଏହି ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁକ୍ରବାର ଉତ୍ସବ ମୁଖର ହୋଇପଡିଥିଲା ବ୍ରହ୍ମଗିରି ଗ୍ରାମର ଅଧିଷ୍ଠିତ ଶ୍ରୀ ଆଖଣ୍ଡଳମଣୀଙ୍କ ପୀଠ। ପୀଠରେ ପବିତ୍ର ଶିବ ବିବାହ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇ ଆଖଣ୍ଡଳମଣୀ ଶ୍ରୀ ଶିବଙ୍କ ସହିତ ମାଆ ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଶୁକ୍ରବାର ଶ୍ରୀ ଆଖଣ୍ଡଳମଣୀଙ୍କ ପୀଠରେ ସମସ୍ତ ନୀତି ସମ୍ପାଦନ ପରେ ଶଙ୍କର ଭଗବାନଙ୍କ ବାହନ ବୃଷଭଙ୍କୁ ସୁସଜ୍ଜିତ କରାଯାଇ ପ୍ରଭୂଙ୍କୁ ବର ବେଶରେ ସୁସଜ୍ଜିତ କରାଯାଇଥିଲା। ବାଜା, ବାଣ ରୋଷଣୀରେ ବରଯାତ୍ରୀ ମାନେ ଆସିଥିଲେ। ପରେ ପ୍ରଭୂଙ୍କୁ ମନ୍ଦିର ପରିସର ମଧ୍ୟରେ ଥିବା ବିବାହ ବେଦୀରେ ବିରାଜମାନ କରାଯାଇଥିଲା। କନ୍ୟା ବେଶରେ ଅପେକ୍ଷାରତ ମାଆ ପାର୍ବତୀ ବେଦୀରେ ପହଞ୍ଚତ୍ବା ପରେ ବିବାହ ନୀତି ସମ୍ପନ୍ନ କରାଯାଇଥିଲା। ସମ୍ପୂର୍ଣ୍ଣ ମାନବୀୟ ରୀତିରେ ହେଉଥିବା ଏହି ଦେବ ବିବାହରେ ବାଟ ବରଣ ଉତ୍ସବ ବୈଦିକ ପଣ୍ଡିତଙ୍କ ବେଦ ମନ୍ତ୍ର ଧ୍ୱନି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ହରିବୋଲ ଓ ହୁଳହୁଳି ମଧ୍ୟରେ ଦେବଦମ୍ପତିଙ୍କ ହସ୍ତଗ୍ରନ୍ଥି କାର୍ଯ୍ୟ ସମାପନ କରାଯାଇଥିଲା। କନ୍ୟା ପିତା ଭାବେ ଲକ୍ଷ୍ମୀନାରାୟଣ ମିଶ୍ର ଏବଂ ବର ପିତା ଭାବେ ପ୍ରଦୀପ୍ତ ଶତପଥୀ ବିବାହ କାର୍ଯ୍ୟ ତୁଲାଇଥିଲେ। ବରଯାତ୍ରୀ ଓ ଗ୍ରାମବାସୀଙ୍କୁ କନ୍ୟା ପିତାଙ୍କ ତରଫରୁ ଜଳ ପାନ ଓ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ଶିବ ବିବାହ ପରେ ମନ୍ଦିର ବାହୁଡା ଓ ଶୀତଳଷଷ୍ଠୀ ଯାତ୍ରା ମହା ସମାରୋହରେ ଶେଷ ହୋଇଥିଲା। ଏହି ଅବସରରେ କଉଡିଖେଳ, ସୁଦ୍ଧପୁତ ଭାବରେ ଉପସ୍ଥିତ ଥିବା ଗାଁର ମହିଳା ମାନଙ୍କ ଦ୍ୱାରା ବନ୍ଦାପନା ହୋଇ ଅମୃତାସନ ବିଧି ମଧ୍ୟ ପାଳନ କରାଯାଇଥିଲା। ଏହି ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ଶ୍ରୀକାଣ୍ଡେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଶ୍ରୀଐଶାନେଶ୍ୱର ଦେବ, ଶ୍ରୀବାଲିକପିଳେଶ୍ୱର ଦେବଙ୍କ ସମେତ ଅନ୍ୟାନ୍ୟ ଶୈବପୀଠରେ ଶିବ ବିବାହ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି।

Share