ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ବିବାହ ବିଚ୍ଛେଦ ପ୍ରକ୍ରିୟାକୁ ସରଳ ବା ସହଜ କରିବା ପାଇଁ ଜନମତ ନିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଲୋକଙ୍କ ଏହି ଦାବିକୁ ସରକାର ମାନିବା ସହ ଏକ ଜନମତ ନେଇଥିଲେ। ଏହି ଭୋଟର ଫଳାଫଳ ରବିବାର ପ୍ରକାଶ ପାଇଥିବା ବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହି ମତରୁ ଦେଖାଯାଇଥିଲା ଯେ, ୮୨ ପ୍ରତିଶତ ଲୋକ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବାକୁ ଚାହୁଁଛନ୍ତି। ଏହାପରେ ସରକାର ଏନେଇ ନୂଆ ବିଲ୍‌ ଆଣିବାକୁ ସଙ୍କେତ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆୟରଲାଣ୍ଡରେ ଦମ୍ପତିଙ୍କୁ ବିଚ୍ଛେଦ ହେବା ପାଇଁ ୪ରୁ ୫ ବର୍ଷ ଅଲଗା ରହିବା ବାଧ୍ୟତାମୂଳକ ରହିଥିଲା। କିନ୍ତୁ ଏବେ ସରକାର ଏହି ଅବଧିକୁ କମ୍‌ କରିବା ପାଇଁ ସଙ୍କେତ ଦେଇଛନ୍ତି। ଦମ୍ପତିଙ୍କୁ କେବଳ ୨ବର୍ଷ ଅଲଗା ରହିବା ପାଇଁ ଏକ ନୂଆ ବିଲ୍‌ ଆଗତ କରାଯିବ ବୋଲି ସୂଚନା ମିଳିଛି।

Share