କନୌଜ,୨।୬: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ବେଦୀରେ କନ୍ୟା ବିଷ ପିଇବା ଓ ବର ପକ୍ଷ ଲୋକଙ୍କୁ ପୋଲିସ ବାନ୍ଧିନେବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କନୌଜ ଧିରପୁର ଗାଁର ବିପିନ ନାମକ ଜଣେ ଯୁବକ ବିବାହ ଲାଗି କନ୍ୟା ଘରେ ପହଞ୍ଚିଥିଲେ। ସବୁକିଛି ଚାଲିଥିଲା ଠିକ୍ ଠାକ୍ ହେଲେ ବିବାହ ସମୟରେ ପୋଲିସ୍ ସହ ବେଦୀ ନିକଟରେ ପହଞ୍ଚିଥିଲେ ବିପିନଙ୍କ ପୂର୍ବତନ ପ୍ରେମିକା। ସେ ଗର୍ଭବତୀ ଥିବା ଦର୍ଶାଇ ବିପିନଙ୍କ ବାହାଘର ଅଟକାଇ ଦେଇଥିଲେ। ଏହାପରେ କନ୍ୟାପକ୍ଷ ବରପକ୍ଷଙ୍କୁ ଅଟକ ରଖିବା ସହ ଗାଁ ମୁଖିଆଙ୍କ ହସ୍ତକ୍ଷେପ ପରେ ବରପକ୍ଷଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଏସବୁ ଘଟଣା ଦେଖି ବିବାହ ବେଦୀରେ ଥିବା କନ୍ୟା କୌଣସି ଉପାୟ ନ ପାଇ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।