ବିବାହ ଭୋଜିକୁ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ମାଲକାନଗିର,୯ା୩(ଡି.ଏନ୍‌.ଏ): ଏକ ବିବାହ ଭୋଜି ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ୪୦୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ସୋମବାର ମାଲକାନଗିରି ଜିଲା ସଦର ବ୍ଲକ୍‌ ସିଆଡ଼ିମାଳ ଗ୍ରାମରୁ ପ୍ରାୟ ୨୦ ଜଣ ଲୋକ କାଲିମେଳା ଥାନା ଅଧୀନ ପାତାକୋଣ୍ଡା ଗ୍ରାମକୁ ବିବାହ ଭୋଜି ପାଇଁ ଯାଉଥିଲେ। ତେବେ ମାଲକାନଗିରି-କାଲିମେଳା ମୁଖ୍ୟରାସ୍ତା ଏମ୍‌.ଭି. ୧୯ ଗ୍ରାମ ନିକଟ ବୁଲାଣି ରାସ୍ତାରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ ଜଣ ଆହତ ହୋଇଥିବାବେଳେ ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।