ଜବଲପୁର,୧।୯: ମଧ୍ୟପ୍ରଦେଶ ଚରଗଓ୍ବାଁ ନିକଟରେ ଥିବା ସିଙ୍ଗୋରି ଜମୁନିୟାରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁରେ ବାସ କରୁଥିବା ଏକ ଆଦିବାସୀ ପରିବାର ଗାଁର କିଛି ଲୋକଙ୍କୁ ବିବାହ ଭୋଜି ପାଇଁ ନିମନ୍ତ୍ରଣ କରିଥିବାବେଳେ ଅନ୍ୟ କେତେକଙ୍କୁ ନିମନ୍ତ୍ରଣ କରି ନ ଥିଲେ। ଏଥିରେ ଉତ୍କ୍ଷୀପ୍ତ ହୋଇ ନିମନ୍ତ୍ରଣ ପାଇ ନ ଥିବା ଗ୍ରାମବାସୀ ଅପମାନ ବୋଧ କରି ସମ୍ପୃକ୍ତ ପରିବାରକୁ ବାସନ୍ଦ କରିଛନ୍ତି। ତୁଲାରାମ ଗୌଣ୍ଡଙ୍କ ସାନ ଭାଇ ବିବାହରେ ଏଭଳି ଘଟଣା ଘଟିଥିଲା। ବିବାହ ପରେ ଗ୍ରାମବାସୀ ତୁଲାରାମଙ୍କ ପରିବାରଙ୍କୁ ବାସନ୍ଦ କରିଛନ୍ତି। ଏନେଇ ତୁଲାରାମ ସ୍ଥାନୀୟ ଥାନା ଏବଂ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ଉପରୁ ବାସନ୍ଦ ହଟି ନ ଥିବା ତୁଲାରାମ କହିଛନ୍ତି।