ନଟିଂହାମଶାୟର୍: କୌଣସି ସ୍ଥାନକୁ ଶୀଘ୍ର ଯାତ୍ରା କରିବାକୁ ଥିଲେ, ବାଟରେ ଗାଡି ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ସହ ଘଟିଥାଏ। ଏହି ସମୟରେ ମନରେ ରାଗ ଆସିବା ମଧ୍ୟ ସ୍ବାଭାବିକ। କେବଳ ଏତିକି ନୁହେଁ, ସେହି ସମୟରେ କ’ଣ କରାଯିବ ମୁଣ୍ଡରେ ହଠାତ୍ ବୁଦ୍ଧି ମଧ୍ୟ ପଶେ ନାହିଁ। ନିକଟରେ ଜଣେ ଯୁବତୀଙ୍କ ସହ ଏମିତି ଘଟଣା ଘଟିଛି। ବିବାହ ପାଇଁ କାର୍ ବସି ଚର୍ଚ୍ଚ ଯାଉଥିବାବେଳେ ବାଟରେ ଗାଡି ଖରାପ ହୋଇଯିବାରୁ ସେ କାନ୍ଦିଥିଲେ। ଇଂଲଣ୍ଡରେ ରହୁଥିବା ୨୭ ବର୍ଷିଆ ଲିଡିଆ ଫ୍ଲେଚର୍ ନିଜ ବିବାହ ପାଇଁ ସେଣ୍ଟ ମ୍ୟାରୀ ଚର୍ଚ୍ଚ ଯାଉଥିବାବେଳେ ହାଇଓ୍ବେରେ ତାଙ୍କ ଗାଡି ଖରାପ ହୋଇଯାଇଥିଲା। ସେ ମଝି ରାସ୍ତାରେ କାନ୍ଦିବାକୁ ଲାଗିଥିଲେ। କାରଣ ପୂର୍ବରୁ ମଧ୍ୟ କରୋନା ଯୋଗୁ ତାଙ୍କ ବିବାହ ୨ଥର ଘୁଞ୍ଚି ଯାଇଥିଲା। ଗାଡି ଖରାପ ଯୋଗୁ ଏଥର ବି ବିବାହ ଘୁଞ୍ଚାଇବାକୁ ପଡିବ ବୋଲି ସେ ଚିନ୍ତା କରି କାନ୍ଦିଥିଲେ। ଏହି ସମୟରେ ନର୍ଥ ଓ୍ବେଲ୍ସ ପୋଲିସ ଇନ୍ସପେକ୍ଟର ମାଟ୍ ଗେଡେସ୍ ଯାଉଥିଲେ। ସେ କନ୍ୟା ଏପରି କାନ୍ଦୁଥିବା ଦେଖି ଗାଡି ରୋକିଥିଲେ ଏବଂ ନିଜ ଗାଡିରେ ଲିଫ୍ଟ ଦେଇ ତାଙ୍କୁ ଚର୍ଚ୍ଚରେ ପହଞ୍ଚାଇଥିଲେ।