Categories: ଗଞ୍ଜାମ

ବିବାହ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ

ପାଟପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ  ଗୋଷ୍ଠୀର ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ମଧ୍ୟ ପୁଣି ଉଭୟ ଗୋଷ୍ଠୀ ମାଡ଼ପିଟ ହୋଇଥିଲା। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଯେ, ଆଡ଼ପଡ଼ାର ଦଣ୍ଡିଆ ପ୍ରଧାନଙ୍କ ପୁଅର ତାଙ୍କରି ଗ୍ରାମରେ ବିବାହ ନିମନ୍ତେ ଶୁକ୍ରବାର ରାତି ପ୍ରାୟ ୧ଟାରେ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରଯାତ୍ରୀ ଦଳରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହେବାରୁ ୧୨ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। କୌଣସି ପ୍ରକାରେ ବୁଝାଶୁଝା ପରେ ଗଣ୍ଡଗୋଳ ଥମିବାରୁ ଆହତମାନେ ଆଡ଼ପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ପୁଣି ଉଭୟ  ଗୋଷ୍ଠୀ ମାରପିଟ ହେବାରୁ ସ୍ବାସ୍ଥ୍ୟକେନ୍ଦ୍ର କବାଟ କାଚ ଭାଙ୍ଗିଯାଇଛି।ପୋଲିସ ପହଞ୍ଚିବାରୁ ଉତ୍ତେଜନା ଥମିଥିଲା। ଆହତମାନଙ୍କ ମଧ୍ୟରୁ ଶିବ ପ୍ରଧାନ, ଲିଟୁ ପ୍ରଧାନ, ମିଥୁନ ଭୋଳ, ରଞ୍ଜନ ଭୋଳ, ଲକ୍ଷ୍ମୀ ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଦୀପକ ପ୍ରଧାନ, ପ୍ରଫୁଲ ପ୍ରଧାନ, ଶମ୍ଭୁ ପ୍ରଧାନ, ବିଜୟ ଭୋଳ, ପରିିକ୍ଷିତ ଭୋଳ ଓ ଅନ୍ୟ ୨ ଜଣ ଆଡ଼ପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରୁ କେହି ବି ଥାନାରେ ଏତଲା ଦେଇନାହାନ୍ତି। ପୋଲିସ ଆହତମାନଙ୍କ ବୟାନ ରେକର୍ଡ କରି ତଦନ୍ତ ଚଳାଇଛି ।