ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର ସୁସ୍ମିତା ମହାନ୍ତି। ସ୍ପେସ୍‌ ରିସର୍ଚ୍ଚ ଓ ସ୍ପେସ୍‌ ସାଇନ୍ସ କ୍ଷେତ୍ରରେ ଜଣେ ପରିଚିତ ଚେହେରା ସୁସ୍ମିତା କେବଳ ଓଡ଼ିଶା ନୁହେଁ, ଦେଶକୁ ମଧ୍ୟ ବିଶ୍ୱସ୍ତରରେ ଗୌରବାନ୍ବିତ କରିଛନ୍ତି। ଭାରତର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ ଷ୍ଟାର୍ଟଅପ୍‌ ସଂସ୍ଥା ‘ଆର୍ଥ ଟୁ ଅରବିଟ୍‌’ କରି ଚର୍ଚ୍ଚାକୁ ଆସିଥିବା ସୁସ୍ମିତା ଭାରତର ‘ସ୍ପେସ୍‌ ଓ୍ବମ୍ୟାନ୍‌’ ଭାବେ ପରିଚିତ। ତାଙ୍କ ସହ ବିଭିନ୍ନ କ୍ଷେତ୍ରରୁ ଆଉ ୭ ପ୍ରଭାବଶାଳୀ ଭାରତୀୟ ମହିଳା ମଧ୍ୟ ଏହି ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୧ ବର୍ଷୀୟା ଅରଣ୍ୟା ଜୋହର, ଶୁଭଲକ୍ଷ୍ମୀ ନନ୍ଦୀ, ନତାଶା ନୋଏଲ୍‌, ବନ୍ଦନା ଶିବା, ଡ. ପ୍ରଗତି ସିଂ ପ୍ରମୁଖ ରହିଛନ୍ତି।
ସୁସ୍ମିତା ଆମେରିକା, ଜାପାନ୍‌, ୟୁରୋପ, ରୁଷିଆ ଭଳି ରାଷ୍ଟ୍ରର ମହାକାଶ ସଂସ୍ଥା ସହ କାମ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌(ଏନ୍‌ଆଇଡି)ରୁ ଉତ୍ତୀର୍ଣ୍ଣ ହେବାପରେ ସ୍ପେସ୍‌ ଡିଜାଇନ୍‌ କ୍ଷେତ୍ରରେ ପାଦ ଦେଇଥିଲେ। ବର୍ତ୍ତମାନ ସାଟେଲାଇଟ୍‌ ଯୋଗେ ‘ବିଗ୍‌ ଡାଟା ଆନାଲିସିସ୍‌’ ମାଧ୍ୟମରେ ସେ ଜଳବାୟୁ ପରିବର୍ତ୍ତନରୁ ବିଶ୍ୱକୁ ରକ୍ଷା କରିବାର ପ୍ରୟାସ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆର୍ଥ ଟୁ ଅରବିଟ୍‌’ ଏବେ ସୋଲାର ଏନର୍ଜି, ଜଳ, ସ୍ମାର୍ଟ ସିଟି ଏବଂ କୃଷି ଭଳି ୪ଟି ବିଭାଗରେ କାର୍ଯ୍ୟ କରୁଛି।

Share