ବିଭିନ୍ନ କଲେଜରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଯାଞ୍ଚ

ବାଲେଶ୍ୱର ଅଫିସ, ୨୨।୧୨-ଭାରତ ସରକାରଙ୍କ ଯୁବନୀତି ୨୦୧୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଏଫଏମ୍‌ କନିଷ୍ଠ ମହାବିଦ୍ୟାଳୟ ତରଫରୁ ଯୁକ୍ତ ୨ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଜିଲାସ୍ତରୀୟ ଯାଞ୍ଚ ହୋଇଥିଲା। ନୋଡ଼ାଲ ଅଧ୍ୟକ୍ଷ ପର୍ଶୁରାମ ଜେନାଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ଟିମ୍‌ ବିଭିନ୍ନ ମହାବିଦ୍ୟାଳୟ ପରିଦର୍ଶନ କରି ଯାଞ୍ଚ କରିଥିଲେ। ଜିଲା ସଂଯୋଜକ ଡ. ସନ୍ତୋଷ କୁମାର ରାଉତ, ନୋଡାଲ ପ୍ରୋଗ୍ରାମ ଅଫିସର ଡ. ତପସ୍ବିନୀ ନାଏକ, ଅଧ୍ୟାପିକା ସୁଲୋଚନା ସିଂ, ମୁଖ୍ୟ କିରାଣି ବଳରାମ ନାଏକ ଏବଂ ନୋଡ଼ାଲ ସାମ୍‌ସ ଡିଇଓ ଅତନୁ କୁମାର ସାହୁ ପ୍ରମୁଖ ଗତ ୧୩ରୁ ୨୦ତାରିଖ ପର୍ଯ୍ୟନ୍ତ ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟରେ ଛାତ୍ରୀ ଆମତ୍ସୁରକ୍ଷା କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ସୂଚନା ଅନୁଯାୟୀ ଜିଲାରେ ଯୁକ୍ତ ୨ ସ୍ତରରେ ଅଧିକାଂଶ ମହାବିଦ୍ୟାଳୟରେ ଛାତ୍ରୀ ଆମତ୍ସୁରକ୍ଷା କାର୍ଯ୍ୟକ୍ରମ ସଫଳ ଭାବରେ ଚାଲିଛି। କେତେକ ମହାବିଦ୍ୟାଳୟରେ ପ୍ରଶିକ୍ଷକଙ୍କ ଅଭାବ ଯୋଗୁ କାର୍ଯ୍ୟକ୍ରମ ବିଳମ୍ବ ହେଉଛି। ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ଟ୍ରେନିଂ ପରେ ଉକ୍ତ ମହାବିଦ୍ୟାଳୟଗୁଡ଼ିକୁ ମାଷ୍ଟରଟ୍ରେନର ଯୋଗାଇଦେବା ପରେ ସମସ୍ତ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିବ ବୋଲି ଜିଲା ସଂଯୋଜକ ଡ. ରାଉତ ପ୍ରକାଶ କରିଛନ୍ତି।