ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର ୯ଶହ ୬୦ଟଙ୍କା, ୨୬ଟି ମୋବାଇଲ ଫୋନ୍‌ ଓ ୪ ବାଇକ ଜବତ କରିଛି। ଏ ନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଏକ ଜୁଆ ଆଡ୍ଡାରେ ଚଢ଼ାଉକରି ୧୧ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୬ ହଜାର ୨୦୦ ଟଙ୍କା ଓ ୬ଟି ମୋବାଇଲ ଜବତ କରିଛି। ସେହିପରି ଗୋଷାଣିନୂଆଗାଁ ପୋଲିସ ୨ଟି ଜୁଆଆଡ୍ଡାରେ ଚଢାଉକରି ୨୪ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ଲକ୍ଷ ୧୨ହଜାର ୨ଶହ ଟଙ୍କା, ୨୦ ମୋବାଇଲ ଓ ୪ଟି ବାଇକ ଜବତ କରିଛି। ବୈଦ୍ୟନାଥପୁର ଥାନା ପୋଲିସ ଏକ ଜୁଆ ଅଡ୍ଡାରେ ଚଢାଉକରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୧ ହଜାର ୧୭୦ ଟଙ୍କା ଜବତ କରିଛି। ଗୋଳନ୍ଥରା ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢଉକରି ୩ ଜୁଆଡ଼ିଙ୍କୁ ଧରିବା ସହ ୧୬ହଜାର ୪୦୦ଶହ ଟଙ୍କା ଜବତ କରିଛି। ଗୋପାଳପୁର ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢ଼ାଉକରି ୨ ଜୁଆଡ଼ିଙ୍କୁ ଗିରଫ କରିବା ସହ ୪ ହଜାର ୯୯୦ଟଙ୍କା ଜବତ କରିଛି। ଗିରଫ ହୋଇଥିବା ସମସ୍ତ ୫୦ ଜୁଆଡ଼ିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି।