ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ସଦର ଓ ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ସହରର ସୁନାପୁର ଓ ସଦର ଥାନା ଅନ୍ତର୍ଗତ ଅପରକୋଲାବ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ୧୬ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସଂପୃକ୍ତ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି।
ମିଳିଥିବା ସୂଚନାନୁସାରେ, କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋଙ୍କ ନିର୍ଦେଶକ୍ରମେ କୋରାପୁଟ ଟାଉନ ଥାନା ଅଧିକାରୀ ପିତବାଦ ଧାରୁଆ ଓ ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନେତୃତ୍ୱରେ ପୋଲିସର ଦୁଇଟି ଟିମ୍‌ ସହରର ସୁନାପୁର ପାଣିଟାଙ୍କି ଅଞ୍ଚଳରେ ଚଢ଼ାଉକରି ୫ ଜୁଆଡିଙ୍କୁ କାବୁ କରିଥିବାବେଳେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି।
ସେହିପରି କୋରାପୁଟ ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନେତୃତ୍ୱରେ ଅପରକୋଲାବ ଫାଣ୍ଡି ଅଧିକାରୀ ଅର୍ଜୁନ ବାଙ୍କାଙ୍କ ସହଯୋଗରେ ଅପରକୋଲାବ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୧ ଜୁଆଡିଙ୍କୁ ଗିରଫ କରାଯାଇଛି। ସେଠାରୁ ପ୍ରାୟ ୫୦ ହଜାର ଟଙ୍କା ଜବତ ହୋଇଛି। ଏ ନେଇ ଉଭୟ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ଜୁଆଡିମାନଙ୍କୁ ଜେରା କରାଯାଉଥିବା ଥାନା ସୁତ୍ରରୁ ଜଣାଯାଇଛି।