ବିଭିନ୍ନ ଦାବିନେଇ ଚାଷୀଙ୍କ ରିଲେ ଅନଶନ

ସମ୍ବଲପୁର,୨୨ା୧୦(ବ୍ୟୁରୋ): ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲା କୃଷକ ସଂଗଠନର ମିଳିତ ଡାକରାରେ ମଙ୍ଗଳବାର ସମ୍ବଲପୁର ଜିଲାପାଳଙ୍କ ଅଫିସ ନିକଟରେ ଚାଷୀମାନେ ୨୪ଘଣ୍ଟିଆ ରିଲେ ଅନଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଘରୋଇ କମ୍ପାନୀକୁ ସାମିଲ କରିବା ବନ୍ଦ କରାଯାଉ, ସ୍ବାମୀନାଥନ କମିଶନଙ୍କ ସୁପାରିଷ ଅନୁଯାୟୀ ଦର ବୃଦ୍ଧି ଆଦି ସେମାନଙ୍କ ଦାବି ରହିଛି। ଏଥିସହ ଖରିଫ- ୨୦୧୮ରେ ଫସଲ କ୍ଷତି ହୋଇଥିଲା । ଏଥିରେ ଫସଲ ବୀମା ଦେବାକୁ ସରକାର ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହା ଦିଆଗଲା ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ମିଳିତ ଉଦ୍ୟମକରି ଏହାର ସମାଧାନ କରିବାକୁ ଦାବି ହୋଇଛି। କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ, ଜିଲା ସଭାପତି ମୁରାରୀ ପୁରୋହିତ, ଉପସଭାପତି ହରିଶଙ୍କର ପୁରୋହିତ, ବ୍ୟାମକେଶ ଠାକୁରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।