ବିଭିନ୍ନ ଦାବିନେଇ ୱେସ୍କୋ ଅଫିସ ଆଗରେ ଧାରଣା: ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୫।୭: ବରଗଡ଼ ବିଦ୍ୟୁତ ଉପଭୋକ୍ତା ସଂଘ ବିଭିନ୍ନ ଦାବି ନେଇ ଶୁକ୍ରବାର ସ୍ଥାନୀୟ ଗାନ୍ଧୀଛକ ନିକଟ ୱେସ୍କୋ ଅଫିସ ଆଗରେ ଧାରଣା ଦେଇଛି । ବିଦ୍ୟୁତ ବିଭ୍ରାଟର ସମ୍ପୂର୍ଣ୍ଣ ନିରାକରଣ, ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ ତଥା ସୁରକ୍ଷା ବ୍ୟବସ୍ଥା, ଉପଭୋକ୍ତାଙ୍କ ପାଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ବିଦ୍ୟୁତ ସେବାକେନ୍ଦ୍ରରେ କାର୍ଡ ପେମେଣ୍ଟରେ ୧ ପ୍ରତିଶତ ଅଧିକ ଅସୁଲି ବନ୍ଦ, ଅନାଦାୟ ବିଦ୍ୟୁତ ବିଲ ଆଦାୟ କ୍ଷେତ୍ରରେ ଓଟିଏସ(ଏକକାଳୀନ ସମାଧାନ) ଲାଗୁ ଏବଂ ଆଇପିଡିଏସ୍‌ ଯୋଜନାରେ ହେଉଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ଆଦି ଦାବିରେ ଧାରଣା ଦିଆଯାଇଛି । ଖବରପାଇ ୱେସ୍କୋର ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀ ଧାରଣାସ୍ଥଳରେ ପହଞ୍ଚିବା ପରେ ସଂଘ ପକ୍ଷରୁ ଉପରୋକ୍ତ ଦାବି ନେଇ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ସଂଘର ଉପସଭାପତି ବିଷ୍ଣୁ ଚରଣ ଦାଶ, ସମ୍ପାଦକ ପ୍ରୀତମ ସିଂ, ପ୍ରମୋଦ ଝାଙ୍କର, କମଳ ଜୋଷୀ, ଲିପସିତ୍‌ ମିଶ୍ର, ମିନାକ୍ଷୀ ଦାଶ ପ୍ରମୁଖ ଉପସ୍ଥିତ ଥିବାବେଳେ ଆପ୍‌ ନେତା ଅମିତାଭ ପାତ୍ର ସେଠାରେ ପହଞ୍ଚି ଧାରଣାକୁ ସମର୍ଥନ ଜଣାଇଥିଲେ ।