
ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଫଳରେ ଅଧ୍ୟାପକ ତଥା ଅନ୍ୟ କର୍ମଚାରୀ ପ୍ରବେଶ ବାଟ ବନ୍ଦ ସହ ଶିକ୍ଷାଦାନ ଏବଂ ଅନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ୨୦୦୪ ତଥା ପରବର୍ତ୍ତୀ ବର୍ଷଗୁଡ଼ିକରେ ଅଧ୍ୟାପକ ଏବଂ ଅନେକ କର୍ମଚାରୀ ନିୟମିତ ହୋଇଥିବା ବେଳେ ସେମାନେ ବାରମ୍ବାର ସରକାରଙ୍କ ଅନୁଦାନ ନୀତିରୁ ବାଦ୍ ପଡ଼ିଆସିଛନ୍ତି। କଲେଜ ପରିଚାଳନା କମିଟି ପକ୍ଷରୁ ପ୍ରଦାନ କରାଯାଉଥିବା ଶାନ୍ତ୍ୱନା ମୂଳକ ପାଉଣାରେ ପରିବାରର ଗୁଜୁରାଣ କଷ୍ଟ ସାଧ୍ୟ ହୋଇପଡିଛି। ଅନୁଦାନରୁ ବଞ୍ଚିତ ୧୫ ଜଣ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଅନ୍ୟାୟ ସୀମା ଲଙ୍ଘିଛି। ଏନେଇ ସରକାର ତୁରନ୍ତ ବିଚାର ସହ ସମାନ କାମକୁ ସମାନ ନୀତିରେ ସେମାନଙ୍କୁ ମଧ୍ୟ ନିୟମିତ କରାଯିବାକୁ ଧାରଣାରତ କର୍ମଚାରୀ ଭୈରବ ବେହେରା, ଡିଙ୍ଗର ବାରିକ, ରାଷ୍ଟ୍ର ବାଗ, କାହ୍ନୁ ପ୍ରଧାନ, ବିଷ୍ଣୁଧର ବାଗ, ଜୟରାମ ନାଗ, କୁଞ୍ଜ ବିହାରୀ ୟାଦବ, ବଳଭଦ୍ର ତାଣ୍ଡି, ଲକ୍ଷ୍ମୀ ନାଏକ, ବିମ୍ବାଧର ଠେଲା, କିଶୋର କୁମ୍ଭାର, ଯଶ୍ମି ନାଏକ, ପ୍ରେମ ଦୀପ ପରମାନନ୍ଦ ପ୍ରଧାନ, ଅଭିରାମ ମାଝୀ, କିଶୋର କୁମ୍ଭାର, ସତ୍ୟଞ୍ଜୀବୀ ଛତ୍ରିଆ, ଲକ୍ଷ୍ମୀ ନାଏକ (ସାନ ) ପ୍ରମୁଖ ଦାବି କରିଛନ୍ତି। ଏନେଇ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର ଧାରଣା ସ୍ଥଳକୁ ଆସି କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ କଲେଜ ଅଧ୍ୟକ୍ଷ ପ୍ରଣବ କିଶୋର ପୁରୋହିତଙ୍କୁ ପଚାରିବାରୁ ଅନୁଦାନ ପ୍ରଦାନ ପାଇଁ କର୍ମଚାରୀଙ୍କ ନାମ ଉଚ୍ଚ ଶିକ୍ଷା ବିଭାଗକୁ ପଠାଇ ଦିଆଯାଇଥିବା କହିଛନ୍ତି।